ସନ୍ଧ୍ୟା ଆରମ୍ଭ ହେବା ମାତ୍ରେ ଏବଂ ଦିନେ ବେଳା ବି ମଶା ବଡ଼ ସମସ୍ୟା ସୃଷ୍ଟି କରିଥାନ୍ତି । ବିଶ୍ୱରେ ବୋଧହୁଏ ଏପରି କୌଣସି ବ୍ୟକ୍ତି ନଥିବେ ଯାହାଙ୍କୁ ମଶା ବ୍ୟତିବ୍ୟସ୍ତ କରିନଥିବେ । ତେବେ ପ୍ରାୟ ସମସ୍ତେ ଦେଖିଥିବେ ମଶାମାନେ ମଣିଷଙ୍କ ମୁଣ୍ଡ ଉପରେ ଉଡ଼ୁଥାନ୍ତି । ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ଯେଉଁ ମଶା ମଣିଷର ମୁଣ୍ଡ ଉପରେ ଉଡନ୍ତି, ସେମାନେ ମାଈ ମଶା । ସେମାନଙ୍କୁ ମୁଣ୍ଡ ଉପରେ ଉଡ଼ିବାକୁ ଖୁବ ଭଲ ଲାଗେ । ମାଈ ମଶାଙ୍କୁ ଅଙ୍ଗାରକାମ୍ଳ ଗ୍ୟାସ ଖୁବ ପସନ୍ଦ । ତେଣୁ ମଣିଷ ନିଃଶ୍ୱାସରେ ଅଙ୍ଗାରକାମ୍ଳ ଛାଡ଼ୁଥିବାରୁ ମୁଣ୍ଡ ଉପରେ ଉଡୁଥିବା ମାଈମଶାଙ୍କୁ ଏହା ଭଲ ଲାଗେ । ମଶା ମୁଣ୍ଡ ଉପରେ ଉଡ଼ିବାର ଅନ୍ୟତମ କାରଣ ଝାଳ । ସେମାନଙ୍କୁ ମଣିଷ ଶରୀରର ଝାଳ ବାସ୍ନା ଆକୃଷ୍ଟ କରିଥାଏ । ତେଣୁ ଜିମ କିମ୍ବା ବ୍ୟାୟାମ କରିବା ପରେ ମଣିଷ ବାହାକୁ ବାହାରିବା ମାତ୍ରେ ମଶା ମୁଣ୍ଡ ଉପରେ ଉଡ଼ି ବୁଲନ୍ତି । ଅସଲରେ ମୁଣ୍ଡରେ କେଶ ଥିବାରୁ ସେଠାରେ ଝାଳ ଶୀଘ୍ର ଶୁଖେ ନାହିଁ । ତେଣୁ ମଶାଙ୍କୁ ସେଠାରେ ଉଡ଼ିବାକୁ ଭଲ ଲାଗେ । ଝାଳ ସହିତ କେଶରେ ଲଗାଯାଇଥିବା ଜେଲ୍ର ବାସ୍ନା ମଧ୍ୟ ମଶାଙ୍କୁ ଆକୃଷ୍ଟ କରେ ।
