ନୂଆଦିଲ୍ଲୀ - ଜେଏନୟୂ ଆକ୍ରମଣ ପଛରେ କାହାର ହାତ ? ଏହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି । କେହି ଏହା ପଛରେ ବାମପନ୍ଥୀ ଛାତ୍ର ସଂଗଠନର ହାତ ରହିଛି ବୋଲି କହୁଥିବାବେଳେ ଅନ୍ୟ କେତେକ ଏଥିପାଇଁ ଏବିଭିପି ଉପରେ ଦୋଷ ଲଦୁଛନ୍ତି । ଗୋଟିଏ ପଟେ ପୁଲିସ ଏଥିରେ ଜେଏନୟୂର ବାମପନ୍ଥୀ ଛାତ୍ରଛାତ୍ରୀମାନଙ୍କ ହାତ ରହିଥିବା ନେଇ କହୁଥିବାବେଳେ ଅପରପକ୍ଷରେ ଇଣ୍ଡିଆ ଟୁଡେ଼ର ଏକ ଷ୍ଟିଙ୍ଗ ଅପରେସନରେ ଏହା ଏବିଭିପିର କାମ ବୋଲି ଦାବି କରାଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଇଣ୍ଡିଆଟୁଡେ଼ ପକ୍ଷରୁ ଏନେଇ ଏକ ଷ୍ଟିଙ୍ଗ ଅପରେସନ କରାଯାଇଥିଲା । ଯେଉଁଥିରେ ଏବିଭିପିର ଜଣେ ଛାତ୍ର କହିଛନ୍ତିଯେ, ବାହାର ପିଲାମାନଙ୍କ ସହଯୋଗରେ ସେମାନେ ଏଭଳି କାଣ୍ଡ ଭିଆଇଥିଲେ । ଜାନୁଆରୀ ୫ରେ ସେମାନେ ହିଁ ଜେଏନୟୂରେ ପ୍ରବେଶ କରି ହଷ୍ଟେଲ ଭଙ୍ଗାରୁଜା କରିଥିଲେ । ଏହି ଛାତ୍ରଜଣଙ୍କ ନାମ ଅକ୍ଷତ ଅଶ୍ୱସ୍ଥି ବୋଲି ଜଣାପଡ଼ିଛି । ସେ କହିଛନ୍ତିଯେ, ଆକ୍ରମଣ ପୂର୍ବରୁ ଷ୍ଟ୍ରିଟଲାଇଟକୁ ବନ୍ଦ କରି ଦିଆଯାଇଥିଲା । ଏଥିରେ ପୁଲିସ ଓ ପ୍ରଶାସନ ସହଯୋଗ କରିଥିଲେ ବୋଲି ସେ କହିଛନ୍ତି । ଏହି ଷ୍ଟିଙ୍ଗ ଅପରେସନ ଏବେ ବେଶ ଚର୍ଚ୍ଚା ସୃଷ୍ଟିକରିଛି ।
