ମାଲକାନଗିରି - ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମାଲକାନଗିରି ଜିଲ୍ଲାରେ ମାଲକାନଗିରି, କାଲିମେଳା, ପଡିଆ, ଚିତ୍ରକୋଣ୍ଡା, କୋରୁକୋଣ୍ଡା, ଖଇରପୁଟ, ମାଥିଲି ବ୍ଲକରେ ୭୦୮ ଜଣ ଗରିବ ହିତାଧିକାରୀ ମାନଙ୍କୁ କୁକୁଡା ପାଳନପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ସହ ପ୍ରତି ପରିବାରକୁ ୨୫ଟି ଦେଶୀ ଏବଂ ବନରାଜ ମିଶ୍ରଣ କୁକୁଡା ଚିଆଁ ବିତରଣ କରା ଯାଇଛି। ଜିଲ୍ଲାରେ କୁକୁଡା ପାଳନ ଦ୍ୱାରା ଗରୀବ ହିତାଧିକାରୀମାନେ କିପରି ସ୍ୱାଭାବଲମ୍ବୀ ହୋଇପାରିବେ ଓ ସେମାନଙ୍କ ଆର୍ଥିକ ମାନଦଣ୍ଡର ଉନ୍ନତି ହେବ ସେଥିପାଇଁ ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି। ଯାହାଫଳରେ ପ୍ରଥମ ପର୍ଯ୍ୟାୟରେ ୭୦୮ ପରିବାରଙ୍କୁ ୧୭୭୦୦ କୁକୁଡାଚିଆଁ ବିତରଣ କରା ଯାଇଥିବା ପ୍ରାଣୀସମ୍ପଦ ବିକାଶ ଅଧିକାରୀ ପ୍ରଶାନ୍ତ କୁମାର ଦାସ ପ୍ରକାଶ କରିଛନ୍ତି। ଯେଉଁମାନେ ତିନିମାସ ମଧ୍ୟରେ ଏହି କୁକୁଡା ଲାଳନ ପାଳନ କରି ବଡ କରିପାରିବେ ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ୨୫ଟି କରି ଏହି ଉନ୍ନତ କିସମର କୁକୁଡା ଚିଆଁ ବିତରଣ କରା ଯିବ। ଏଥିପାଇଁ ପ୍ରତି ପରିବାରକୁ ଉତ୍ସାହିତ କରିବା ପାଇଁ ଚିଆଁ ସେମାନଙ୍କର ବ୍ୟାଙ୍କ ଖାତାରେ ୫୦୦ ଟଙ୍କା ପ୍ରଦାନ କରା ଯାଉଛି। ଏଥିପାଇଁ ରାଜ୍ୟ ସରକାର ଚିଆଁ ପ୍ରତି ୫୦ ଟଙ୍କା ବ୍ୟୟ କରୁଛନ୍ତି। ଓଡିଶା ପୋଲ୍ଟ୍ର୍ି ଫେଡେରେସନ ତରଫରୁ ହାଇଦ୍ରାବାଦର ଏକ କମ୍ପାନୀ ଏହି ଚିଆଁ ଯୋଗାଇ ଦେଉଛି। ବର୍ତମାନ ୮୮୫୦୦୦ ଟଙ୍କାର ଚିଆଁ ପ୍ରଦାନ କରା ଯାଇଥିବା ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ଆଗାମୀ ବର୍ଷରେ ଅଧିକରୁ ଅଧିକ ଗରୀବ ଲୋକମାନଙ୍କୁ ଏହି ଚିଆଁ ଯୋଗାଇ ଦିଆ ଯିବ। ଯାହାଫଳରେ ହିତାଧିକାରୀ ମାନେ ବଏଲର କୁକୁଡା ଅପେକ୍ଷା ବନରାଜ କୁକୁଡା ପାଳନରେ ଅଧିକ ଅର୍ଥ ଉପାର୍ଜନ କରିବା ସହ ନିରୋଗ୍ୟ କୁକୁଡା ମାଂସ ଜିଲ୍ଲାବାସୀଙ୍କୁ ଯୋଗାଇ ପାରିବେ।
