ବଜେଟ ପୁର୍ବରୁ ହାଲୁଆ ପର୍ବ କାହିଁକି ପାଳନ କରାଯାଏ ଜାଣିଛନ୍ତିକି ?

ବଜେଟ ପୁର୍ବରୁ ହାଲୁଆ ପର୍ବ କାହିଁକି ପାଳନ କରାଯାଏ ଜାଣିଛନ୍ତିକି ?

ଜାତୀୟ ଖବର

ନୂଆଦିଲ୍ଲୀ - ୨୦୨୦-୨୧ କେନ୍ଦ୍ର ବଜେଟ୍ ପାଇଁ ସୋମବାରଠାରୁ ପ୍ରକି୍ରୟା ଆରମ୍ଭ ହୋଇଛି । ନର୍ଥବ୍ଲକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ହାଲୁଆ ପର୍ବ ପାଳିତ ହୋଇଯାଇଛି । କେନ୍ଦ୍ର ବଜେଟ୍ ପାଇଁ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ବଜେଟ ଦସ୍ତାବିତ ଛପା ହେବା ପୂର୍ବରୁ ହାଲୁଆ ପର୍ବ ପାଳିତ କରାଯାଇଥାଏ । ଏହି ଦିନଠାରୁ ଅର୍ଥ ମନ୍ତ୍ରାଳୟର ସମସ୍ତ ଅଧିକାରୀ ଘରକୁ ନ ଯାଇ ଏହିଠାରେ ରହିଥାନ୍ତି । ଫଳରେ ବଜେଟ୍ ଦସ୍ତାବିଜ ବାବଦ ତଥ୍ୟ ଗୋପନ ରହିଥାଏ । ବହୁ ବର୍ଷ ହେଲା ଏହି ହାଲୁଆ ପର୍ବ ପାଳିତ ହୋଇଆସୁଛି । ପରମ୍ପରା ଭାବେ ଏକ ବଡ଼ କଡେ଼ଇରେ ମିଠା ତଥା ସୁସ୍ୱାଦୁ ହାଲୁଆ ରୋଷେଇ କରାଯାଇଥାଏ । ଏହାକୁ ବଜେଟ ସହିତ ଜଡ଼ିତ ସମସ୍ତ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । ସୋମବାର ଅର୍ଥମନ୍ତ୍ରୀ ସୀତାରମଣ କଡେ଼ଇ ଉପରେ ଘୋଡ଼ାଯାଇଥିବା ଏକ ନାଲି କପଡ଼ାକୁ କାଢ଼ି ସମସ୍ତଙ୍କୁ ହାଲୁଆ ପରଷିଥିଲେ । ହାଲୁଆ ପର୍ବରୁ ବଜେଟ୍ ଦସ୍ତାବିଜ ଛପା କାର୍ଯ୍ୟ ଆରମ୍ଭ ହୋଇଛି । ବଜେଟ୍ ଦାୟିତ୍ୱରେ ରହିଥିବା ଅର୍ଥମନ୍ତ୍ରାଳୟର ସମସ୍ତ ଅଧିକାରୀ ନର୍ଥ ବ୍ଲକରେ ହିଁ ରହିବେ । ସେମାନେ ବଜେଟ୍ ଆଗତ ହେବା ପର୍ଯ୍ୟନ୍ତ ଘରକୁ ଯିବେ ନାହିଁ । ଏମିତି କି ଘର ଲୋକଙ୍କ ସହ ସେମାନେ ଫୋନରେ ମଧ୍ୟ କଥା ହୋଇପାରିବେ ନାହିଁ । ଇମେଲ ବି କରାଯାଇପାରିବ ନାହିଁ । ବଜେଟ୍ ଆଗତ ହେବା ପୂର୍ବରୁ ଯେମିତି ଏହାର ତଥ୍ୟ ପ୍ରଘଟ ନହୁଏ । ତାହାକୁ ସୁନିଶ୍ଚିତ କରିବା ଲାଗି ଅଧିକାରୀଙ୍କୁ ଘରକୁ ଯିବାକୁ ଅନୁମତି ମିଳିନଥାଏ । ଚଳିତ ବର୍ଷ ବଜେଟ୍ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ଜିଡିପି ଅଭିବୃଦ୍ଧି ୬ ବର୍ଷ ତଳକୁ ଖସିଯାଇଛି । ଅନେକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଚାହିଦା ଓ ରପ୍ତାନୀ ଖସଥିବା ବେଳେ ନିଯୁକ୍ତି ସଂକୁଚିତ ହୋଇଛି । ତେଣୁ ଏଥର ବଜେଟ୍କୁ କର୍ପୋରେଟ୍ ଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଏବଂ ସାଧାରଣ ଜନତା ଚାତକ ଭଳି ଚାହିଁଛନ୍ତି ।