କଟକ : ଅବକାରୀ ବିଭାଗର ନଜର ଏଡ଼ାଇବା ପାଇଁ ଏବେ ଗଞ୍ଜେଇ ଚାଲାଣ ର୍ୟାକେଟରେ ସୁନ୍ଦରୀ ମହିଳାଙ୍କ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ସୋମବାର ୩ ଜଣ ମହିଳା ମାଫିଆଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ନିର୍ଗୁଣ୍ଡିରେଳ ଷ୍ଟେସନ୍ ନିକଟରୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୧ ଲକ୍ଷ ଟଙ୍କାର ୧ କ୍ୟୁଣ୍ଟାଲ ୫ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ମହିଳା ମାଫିଆମାନେ ହେଉଛନ୍ତି ପଶ୍ଚିମବଙ୍ଗ ଗୋଲପୁରର ପୂର୍ଣ୍ଣିମା ଦାସ(୪୫), ଝୁମା ଘରାଇ(୩୫) ଏବଂ ରେବ ଦାସ(୪୦) । ଏମାନେ ସମସ୍ତେ ନିଜ ନିଜ ସ୍ୱାମୀଙ୍କ ସହିତ ବିବାହ ବିଚ୍ଛେଦ କରିବା ପରେ ଏଭଳି ମାଫିଆଗିରି ଆରମ୍ଭ କରି ଦେଇଥିଲେ । କିନ୍ତୁ ମାଟ୍ରିକ ଫେଲ ଏହି ମହିଳାମାନେ ଏଭଳି ଅନ୍ତଃରାଜ୍ୟ ମାଫିଆ କାରବାରରେ ନିୟୋଜିତ ହେବା ଅବକାରୀ ବିଭାଗକୁ ଚକିତ କରିଛି । ୨୦୧୮ରୁ ଆଜି ପର୍ଯ୍ୟନ୍ତ ଗଞ୍ଜେଇ ଓ ବ୍ରାଉନସୁଗାର ମାମଲାରେ ମୋଟ ୮ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଭୋର ପ୍ରାୟ ୬ଟା ବେଳେ ଉପରୋକ୍ତ ତିନି ମହିଳା ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ନିର୍ଗୁଣ୍ଡି ରେଳ ଷ୍ଟେସନକୁ ଆସିଥିଲେ । ସେଠାରେ ଟ୍ରେନରୁ ଓହ୍ଲାଇ ବସ ଯୋଗେ ପଶ୍ଚିମବଙ୍ଗ ଯିବାକୁ ଯୋଜନା କରୁଥିଲେ । ରେଳ ଷ୍ଟେସନଗୁଡ଼ିକରେ ବାରମ୍ବାର ଅବକାରୀ ବିଭାଗ ଓ ପୁଲିସର ଚଢ଼ଉ କରୁଥିବାରୁ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ଓ ବସରେ ଯିବାକୁ ଯୋଜନା କରିଥିଲେ । ଏଭଳି ଯୋଜନା ଚାଲିଥିବା ବେଳେ ଅବାକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା । ଜେରା ପରେ ମାଫିଆଗିରି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଏହି ମହିଳା ଗ୍ୟାଙ୍ଗ ଭୁବନେଶ୍ୱରରେ ଏକ ହୋଟେଲରେ ଭଡ଼ାରେ ରହୁଥିଲେ । ମାସିକ ଅତି ବେଶିରେ ୩ଟି ପର୍ଯ୍ୟାୟରେ ଭଡ଼ାରେ ରହୁଥିଲେ । ଅବକାରୀ ବିଭାଗ କିମ୍ବା ପୁଲିସର ସନ୍ଦେହ ନହେବା ପାଇଁ ଏମାନେ ପୋଷାକ ପରିଧାନ ପ୍ରତି ଯଥେଷ୍ଟ ସତର୍କ ଥିଲେ । ଏମିତିକି, ସନ୍ଦେହ ନ ହେବା ପାଇଁ ଦାମୀ ଲଗେଜ୍ ବ୍ୟାଗରେ ହିଁ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି । ଏମାନେ ୪ଟି ବ୍ୟାଗରେ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରୁଥିଲେ । ଖୋର୍ଦ୍ଧାରୁ ଗଞ୍ଜେଇ କେଜି ପିଛା ୩,୨୦୦ ଟଙ୍କାରେ କିଣି କଲିକତାରେ ୬ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଅର୍ଥାତ କେଜି ପିଛା ୩ ହଜାର ଟଙ୍କା ପାଖାପାଖି ଲାଭ କରୁଥିବା ସୂଚନା ମିଳିଛି ।
