ଚିଲିକା ପାଇଁ ଆସୁଛି ମେଗା ପ୍ଲାନ, ଇକୋ ଟୁରିଜିମ ଅଞ୍ଚଳର ବିକାଶ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତି

ଚିଲିକା ପାଇଁ ଆସୁଛି ମେଗା ପ୍ଲାନ, ଇକୋ ଟୁରିଜିମ ଅଞ୍ଚଳର ବିକାଶ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତି

ରାଜ୍ୟ ଖବର

ଭୁବନେଶ୍ୱର: ଚିଲିକା ପାଇଁ ତିଆରି ହୋଇଛି ମେଗା ଯୋଜନା । ଚିଲିକା ଓ ଏହାର ପାରିପାଶ୍ୱିର୍କ ଭିତ୍ତିଭୂମିକୁ ଏମିତି ରୂପ ଦିଆଯିବ, ପର୍ଯ୍ୟଟକଙ୍କ ସୁଅ ଛୁଟିବ । ଚିଲିକା ଭିତରେ ଥିବା ଛୋଟ ଛୋଟ କୁଦ (ଦ୍ୱୀପ) ପାଲଟିବ ପର୍ଯ୍ୟଟଙ୍କ ଆକର୍ଷଣ । ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଖଞ୍ଜି ଦିଆଯିବ । ଖାଲି ଚିଲିକା ଜଳରାଶି ନୁହେଁ, ପାରିପାଶ୍ୱିର୍କ ଅଞ୍ଚଳ ବି ଚମକିବ । ରାସ୍ତାଘାଟରୁ ନେଇ ରହଣି ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ଭିତ୍ତିଭୂମି ଯୋଗାଇ ଦେବେ ସରକାର । ଚିଲିକାର ଭିତ୍ତିଭୂମି ବିକାଶ ପାଇଁ ଖୁବ ଶୀଘ୍ର ରାଜ୍ୟ ସରକାର ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ପର୍ଯ୍ୟଟନର ବିକାଶ ପାଇଁ ଏବେ ଅଣ୍ଟାଭିଡିଛନ୍ତି ରାଜ୍ୟ ସରକାର । ଧାର୍ମିକ ପୀଠସ୍ଥଳରୁ ନେଇ ଇକୋ ଟୁରିଜିମ ଅଞ୍ଚଳର ବିକାଶ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତି ହେଉଛି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ନଜର ପଡ଼ିଛି । ପ୍ରକୃତରେ ଅନନ୍ୟ ସୃଷ୍ଟି ଚିଲିକା ହ୍ରଦ ଉପରେ । ଚିଲିକା ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲେ ମଧ୍ୟ ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଓଡ଼ିଶା ସେତୁ ନିର୍ମାଣ ନିଗମ ଚିଲିକାର ଭିତ୍ତିଭୂମି ବିକାଶ ଯୋଜନା ପ୍ରସ୍ତୁତି କାମରେ ଲାଗିଛି । ପ୍ରାଥମିକ ଯୋଜନା ମୁତାବକ, ଚିଲିକା ଭିତରେ ଅନେକ ଛୋଟ ଛୋଟ କୁଦ ଥିବା ବେଳେ ତାର ବିକାଶ କରାଯିବ । ସେଇ କୁଦରେ ବସି ପର୍ଯ୍ୟଟକ ଯେମିତି ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ, ସେଭଳି ବ୍ୟବସ୍ଥା ହେବ । କେତେକ କୁଦରେ ପର୍ଯ୍ୟଟକଙ୍କ ରହଣି ପାଇଁ ଅସ୍ଥାୟୀ ଟେଣ୍ଟ ଭଳି ବ୍ୟବସ୍ଥା କରାଯିବ । ଚିଲିକାରେ ପ୍ରଦୂଷଣକାରୀ ବୋଟ ଚଳାଚଳ ବନ୍ଦ କରାଯିବ । ଅଧିକ ଶବ୍ଦ କରୁନଥିବା ତଥା ପରିବେଶ, ଜଳାଭାବ, ପକ୍ଷୀ ଓ ଜୈବ ବିବିଧତାକୁ ପ୍ରଭାବିତ କରୁନଥିବା ଇକୋ ଫ୍ରେଣ୍ଡଲି ବୋଟ ଚଳାଚଳ କରିବ । ଚିଲିକାରେ ବୋଟ ହାଉସ ଚଳାଚଳ ଉପରେ ବିଚାର କରାଯାଉଛି । ବିଭିନ୍ନ ପ୍ରକାର ୱାଟର ସ୍ପୋର୍ଟସ ବ୍ୟବସ୍ଥା ହେବ । କେରଳ ଭଳି ନୌକା ଚଳାଚଳ ପ୍ରତିଯୋଗିତା ଆୟୋଜନ କରାଯିବ । ଚିଲିକା କୂଳେ ଥିବା ଅଞ୍ଚଳଗୁଡ଼ିକର ବିକାଶ କରାଯିବ । ଚିଲିକାକୁ ଲାଗିଥିବା ସମସ୍ତ ରାସ୍ତାର ଉନ୍ନତିକରଣ କରାଯିବ ।