ବିଧାନସଭାରେ ପାରିତ ହେଲା ଓଡିଶା ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍ ୨୦୨୦

ବିଧାନସଭାରେ ପାରିତ ହେଲା ଓଡିଶା ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍ ୨୦୨୦

ରାଜ୍ୟ ଖବର

ଓଡିଶା ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ସର୍ବ ସମ୍ମତିରେ ପାରିତ ହୋଇଛି । ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ଅଧିନିୟମ ୧୯୯୩ରେ ସଂଶୋଧନ କରି ରାଜ୍ୟ ସରକାର ଏହି ବିଲ୍ ଆଣିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଧେୟକ ୧୯୯୩ର ଧାରା ୯ର ଉପଧାରା ୧ ପରେ ଆଉ ଏକ ଉପଧାରା ସ୍ଥାନୀତ କରାଯାଇଛି । ଏଥିରେ ରାଜ୍ୟ ସରକାର ସମୟକୁ ସମୟ ନିଷ୍ପତିକ୍ରମେ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ କମିଶନ ସର୍ଭେ କରିବେ ବୋଲି ଉଲ୍ଲେଖ ରହିଛି । ବିଧାନସଭାରେ ଏହି ବିଲ ପାରିତ ହେବା ପରେ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଐତିହାସିକ ନିଷ୍ପତି ଏବଂ ଏହା ପଛୁଆ ବର୍ଗଙ୍କ ଉନ୍ନତିରେ ସହାୟକ ହେବ ବୋଲି କହିଛନ୍ତି । ତେବେ ଏହି ବିଲ୍ ପରେ ଏଣିକି ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ରାଜ୍ୟ ସର୍ଭେ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିନ୍ତୁ ବିଲ୍ ଆଗତ ହେବା ପରେ କଂଗ୍ରେସ ଓ ବିଜେପି ବିଧାୟକ ବିରୋଧ କରିଥିଲେ । ବିଲ୍କୁ ତରବରିଆ ଭାବେ ପାରିତ ନକରି ଅଧିକ ସମୟ ଦେବାକୁ ସେମାନେ ଦାବି କରିଥିଲେ ।