ଭଦ୍ରକ ଜିଲ୍ଲା ଧାମରା ବନ୍ଦର ପରିସରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ କେହି ଆହତ ହୋଇନଥିବାବେଳେ ବିପୁଳ ପରିମାଣରେ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୨ଟାରେ ଧାମରା ବନ୍ଦର ପରିସରରେ ଥିବା ଏଲଏନଜି ପାଇପ୍ ଲାଇନ୍ ଟର୍ମିନାଲରେ ନିଆଁ ଲାଗିଥିଲା। ସେଠାରେ କଂକ୍ରିଟ୍ କାମ ଚାଲିଥିବା ହେତୁ କେତେକ ସେଣ୍ଟରିଂ ସାମଗ୍ରୀ ରଖାଯାଇଥିଲା। କୌଣସି କାରଣରୁ ସେଗୁଡ଼ିକରେ ନିଆଁ ଲାଗିବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସ୍ଲାବ ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଥିବାର ଖବର ମିଳିଛି। ନିଆଁ ଲାଗିବାର ଦେଖି ସେଠାରେ ମୁତୟନ ଥିବା ନିରାପତ୍ତା ରକ୍ଷୀମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଧାମରା ବନ୍ଦର ଅଗ୍ନିଶମ ବାହିନୀ ଓ ଚାନ୍ଦବାଲିର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଗ୍ୟାସ୍ ଲିକ୍ ହେବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କୌଣସି କର୍ମଚାରୀଙ୍କ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।
