ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ବିଜୟ ନେଇ ତିନି ପ୍ରମୁଖ ଦଳ ଆଶାବାଦୀ ରହିଛନ୍ତି । ୨୦୧୪ରେ ଏହି ୪ ଲୋକସଭା ଆସନ ବିଜେଡ଼ି ଖାତାକୁ ଯାଇଥିବାବେଳେ ୨୦ ବିଧାନସଭା ଆସନରେ ବି ବିଜେଡ଼ି ଜିତିଥିଲା । ସେହିପରି କଂଗ୍ରେସ ୬ ଆସନ ପାଇଥିବାବେଳେ ବିଜେପି ବି ୨ଟିରେ ବିଜୟୀ ହୋଇଥିଲା । ଗୋଟିଏ ପଟେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୧୪ ଠାରୁ ଭଲ କରିବୁ ବୋଲି କହିଛନ୍ତି । ଅପରପକ୍ଷରେ ବିଜେଡ଼ି ୨୮ରୁ ୨୫ଟି ବିଧାନସଭା ଆସନ ସହ ସବୁ ଲୋକସଭା ଆସନ ହାସଲ କରିବ ବୋଲି ସୂର୍ଯ୍ୟ ନାରାୟଣ ପାତ୍ର ଆକଳନ କରିଛନ୍ତି । ସେହିପରି କଂଗ୍ରେସ ୩ ଲୋକସଭା ଓ ୧୭ ବିଧାନସଭା ଆସନ ନେବବୋଲି ଅଙ୍କ କଷିଛି । ବିଜେପି ବି ପଛରେ ପଡ଼ିନାହିଁ । ଦଳ ୧୫ ବିଧାନସଭା ଓ ୩ ଲୋକସଭା ନେବବୋଲି ଦଳ ଆକଳନ କରିଛି । ତେବେ କେଉଁ ବିଧାନସଭା ଆସନ ଓ କେଉଁ ଲୋକସଭା ଆସନରେ କିଏ ବିଜୟୀ ହେବ ସେନେଇ ଦଳ କିନ୍ତୁ କିଛି କହିପାରିନାହିଁ । ୨୦୧୪ରେ କୋରାପୁଟ ଲୋକସଭା ଆସନଟି ବିଜେଡ଼ି ହାତେଇ ନେଇଥିଲା । ଅପରପକ୍ଷରେ ଗୁଣୁପୁର, ବିଷମକଟକ, ରାୟଗଡ଼ା ଓ ପଟାଙ୍ଗୀରେ ବିଜେଡ଼ି ବିଜୟୀ ହୋଇଥିବାବେଳେ କଂଗ୍ରେସ ଜୟପୁର, କୋରାପୁଟ ଓ ଲକ୍ଷ୍ମୀପୁରରେ ବାଜିମାତ କରିଥିଲା । ତେବେ ବିଜେପି ଖାତା ଖୋଲି ପାରିନଥିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟରେ ଲୋକସଭା ଆସନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ କର୍ମୀମାନେ ମତ ପ୍ରକାଶ କରିଛନ୍ତି । ତେବେ ବିଧାନସଭାରେ ବିଜେଡ଼ି ଓ କଂଗ୍ରେସ ପ୍ରଭାବ ବିସ୍ତାର କରିବେ ବୋଲି ଦଳୀୟ କର୍ମମୀାନେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ସେହିପରି ନବରଙ୍ଗପୁର ଲୋକସଭାଟି ୨୦୧୪ରେ ବିଜେଡ଼ି ଖାତାକୁ ଯାଇଥିଲା । ଉମରକୋଟ, ଝରିଗାଁ, ନବରଙ୍ଗପୁର, ମାଲକାନାଗିରି ଓ ଚିତ୍ରକୋଣ୍ଡା ବିଜେଡ଼ି ଖାତାକୁ ଯାଇଥିବାବେଳେ ଡାବୁଗାଁ ଓ କୋଟପାଡ଼ରେ କଂଗ୍ରେସ ବାଜିମାତ କରିଥିଲା । କିନ୍ତୁ ବିଜେପି କର୍ମୀଙ୍କ ଦାବି ଅନୁଯାୟୀ ସେଠାରେ ସ୍ଥିତି ବଦଳି ଯାଇଛି । ଉମରକୋଟ, ନବରଙ୍ଗପୁର ଓ ମାଲକାନାଗିରିରେ ଆମେ ବିଜୟୀ ହେବା ନିଶ୍ଚିତ ବୋଲି ଜଣେ ବିଜେପି ନେତା ପ୍ରକାଶ କରିଛନ୍ତି । ତେବେ କଂଗ୍ରେସର ଜଣେ କର୍ମୀ କହିଛନ୍ତିଯେ, ନବରଙ୍ଗପୁର ଲୋକସଭା ଆସନରେ ପ୍ରଦୀପ ମାଝୀ ବାଜିମାତ କରିବା ନିଶ୍ଚିତ । ସେହିପରି ଝରିଗାଁ ଓ କୋଟପାଡ଼ ଦଳ ଖାତାକୁ ଯିବା ନିଶ୍ଚିତ ହୋଇଥିବାବେଳେ ଅନ୍ୟ ସ୍ଥାନରେ ଆମେ କଡ଼ା ଟକ୍କର ଦେଇଛୁ ବୋଲି ପ୍ରକାଶ କରିଛନ୍ତି । ତେବେ ବିଜେଡ଼ି କର୍ମୀ ମଧ୍ୟ ବିଜୟର ଆଶା ଛାଡ଼ିନାହାନ୍ତି । ରମେଶ ଚନ୍ଦ୍ର ମାଝୀ ଜଣେ ଭଲ ନେତା ହୋଇଥିବାବେଳେ ତାଙ୍କୁ ଲୋକେ ଭୋଟ ଦେଇଛନ୍ତି ବୋଲି କହିଛନ୍ତି । ସେହିପରି ଡାବୁଗାଁ, ଚିତ୍ରକୋଣ୍ଡା ଓ ଝରିଗାଁରେ ଆମେ ନିଶ୍ଚିତ ବିଜୟୀ ହେବୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ୨୦୧୪ରେ ବ୍ରହ୍ମପୁର ଲୋକସଭା ଆସନଟି ବିଜେଡ଼ି ଦଖଲ କରିଥିଲା । ପାରଳାଖେମୁଣ୍ଡି ଆସନଟି କଂଗ୍ରେସ ଖାତାକୁ ଯାଇଥିବାବେଳେ ଅବଶିଷ୍ଟ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଆସନରେ ବିଜେଡ଼ି ବିଜୟୀ ହୋଇଥିଲା । ବିଜେଡ଼ି କର୍ମୀଙ୍କ ଦାବି ଅନୁଯାୟୀ, ଏଥର ବି ଅନୁରୂପ ଫଳ ହେବ । ଲୋକସଭା ସମେତ ସବୁ ବିଧାନସଭାରେ ବିଜେଡ଼ି ବିଜୟୀ ହେବବୋଲି ଦଳ
