ବନ୍ଦ ହୋଇଯିବ କି ରଥଯାତ୍ରା ? ଜାଣନ୍ତୁ କ'ଣ କହିଲେ ଶ୍ରୀମନ୍ଦିର ପରିଚାଳନା କମିଟି ।

ବନ୍ଦ ହୋଇଯିବ କି ରଥଯାତ୍ରା ? ଜାଣନ୍ତୁ କ'ଣ କହିଲେ ଶ୍ରୀମନ୍ଦିର ପରିଚାଳନା କମିଟି ।

ରାଜ୍ୟ

କରୋନା ଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ପ୍ରଭୁ ଜଗନ୍ନାଥଙ୍କ କୌଣସି ଯାତ୍ରା ବନ୍ଦ କରାଯିବା ନେଇ ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି । ପୁରୀ ରଥଯାତ୍ରା ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ପରେ ଶ୍ରୀ ଦାସମହାପାତ୍ର ଏଭଳି କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଗାଇଡ ଲାଇନ ମାନି କିଭଳି ସବୁ କାର୍ଯ୍ୟ କରାଯିବ ସେ ନେଇ ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କ ସହ ବୈଠକରେ ସ୍ଥିର କରାଯିବ । ଗଜପତି, ମୁଖ୍ୟ ପ୍ରଶାସକ ଓ କମିଟି ସଦସ୍ୟ ଏନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସବୁ ଗାଇଡଲାଇନ ମାନି କିଭଳି ରଥଯାତ୍ରା ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବୁ । ଶଙ୍କରାଚାର୍ଯ୍ୟ ଯାହା କହିବେ ସେହି ଅନୁସାରେ ସବୁ ହେବ ବୋଲି ଶ୍ରୀ ଦାସମହାପାତ୍ର ଏଭଳି କହିଛନ୍ତି । ଗତକାଲି ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଜଗଦ୍‌ଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ପରେ ରାତିରେ ମୁଖ୍ୟପ୍ରଶାସକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ଭେଟି ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକାଶ ଯେ, ଲକଡାଉନ ଯୋଗୁଁ ପୁରୀରେ ବିଭିନ୍ନ ଯାନିଯାତ୍ରା ହୋଇପାରିନାହିଁ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହି ଯାତ୍ରାକୁ ବନ୍ଦ କରିଦିଆଯାଇଥିବାବେଳେ କେବଳ ବିଧି ରକ୍ଷା ପାଇଁ ଶ୍ରୀରାମଲୀଳାର ପାରମ୍ପରିକ ନୀତି ନିରାଡ଼ମ୍ବରଭାବେ ସମ୍ପନ୍ନ ହୋଇଛି । ଆଉ କେଇଟା ଦିନ ପରେ ଚନ୍ଦନଯାତ୍ରା । ଅକ୍ଷୟ ତୃତୀୟାରୁ ରଥଯାତ୍ରାର ଅଦ୍ୟପର୍ବ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରଥଯାତ୍ରା ପାଇଁ ପାରମ୍ପରିକ ପ୍ରସ୍ତୁତି ଚାଲିଥିଲେ ମଧ୍ୟ କରୋନା ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ରଥଯାତ୍ରା ହେବ କି ନାହିଁ ଓ ଯଦି ହୁଏ ତେବେ ଭକ୍ତମାନଙ୍କୁ ସମାଗମ ପାଇଁ ଅନୁମତି ଦିଆଯିବ କି ନାହିଁ ସେଥିନେଇ ବିଭିନ୍ନ ମହଲରେ ନାନା ଆଶଙ୍କା ପ୍ରକାଶ ପାଇବା ସହ ଚର୍ଚ୍ଚା ହେଉଛି । କରୋନା ସ୍ଥିତି ନସୁଧୁରିଲେ କେବଳ ସେବାୟତ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ରଥଯାତ୍ରା ସମ୍ପନ୍ନ ହୋଇପାରେ ବୋଲି ମଧ୍ୟ କେତେକ ମହଲରେ ଆଲୋଚନା ହେଉଛି ।