ଗଜପତିଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ

ଗଜପତିଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ

ରାଜ୍ୟ

ପୁରୀ: ବହୁଦିନର ନିରବତା ପରେ ରଥଯାତ୍ରା ପ୍ରସଙ୍ଗରେ ବରିଷ୍ଠ ଦଇତାପତି ସେବକ ତଥା ବଡଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ମୁହଁ ଖୋଲିଛନ୍ତି । କରୋନା ପାଇଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେବା ପରେ ଏ ପ୍ରସଙ୍ଗରେ ଶ୍ରୀ ଦାସ ମହାପାତ୍ର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ସମୂହ ଆଲୋଚନା କରିବାକୁ ଚିଠି ଲେଖିଛନ୍ତି । ଏଥିପାଇଁ ସମୟ ଧାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି । ଶ୍ରୀ ଦାସ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀ ଦେଶରେ ଉଗ୍ରରୂପ ଧାରଣ କରିଛି । ଯେଉଁଥିପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି । ଶ୍ରୀମନ୍ଦିରକୁ ବି ଭକ୍ତଙ୍କ ବାରଣ କରାଯାଇଛି । କେବଳ ନୀତିକାନ୍ତି ଯଥାରୀତି ଚାଲିଛି । ଏଭଳି ଏକ ଭୟାବହ ପରିସ୍ଥିତିରେ ରଥଯାତ୍ରା ପଡ଼ୁଛି । ଆସନ୍ତା ଜୁନ ୨୩ ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହା ପୂର୍ବରୁ ଆସନ୍ତା ଜୁନ ୫ ରେ ସ୍ନାନପୂର୍ଣ୍ଣିମା ପଡ଼ୁଛି । ଏହାକୁ ଯଥାବିଧି କିପରି ପାଳନ କରାଯିବ, ସେ ଉପରେ ବରିଷ୍ଠ ଦଇତାପତି ସେବକମାନଙ୍କ ସହ ଆଲୋଚନା ସେ କରିଛନ୍ତି । କେଉଁ ଭଳି କଟକଣା ଭିତରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ ତାହା ଉପରେ ସେ ଓ କିଛି ବରିଷ୍ଠ ଦଇତାପତି ସେବକ ତାଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଆଲୋଚନା ପାଇଁ ସ୍ଥାନ ଓ ସମୟ ସ୍ଥିରୀକୃତ କରି ଆଲୋଚନା ପାଇଁ ସୁଯୋଗ ଦେବାକୁ ଶ୍ରୀ ଦାସମହାପାତ୍ର ଗଜପତି ମହାରାଜାଙ୍କୁ ନିବେଦନ କରିଛନ୍ତି । ଅତୀତରେ ନବକଳେବର ମହାବିଭ୍ରାଟକୁ ନେଇ ଚର୍ଚ୍ଚା ଓ କାର୍ଯ୍ୟାନୁଷ୍ଠାନ ସମୟରେ ହିଁ ଶ୍ରୀ ଦାସମହାପାତ୍ର ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ । ସେବେଠାରୁ ଶ୍ରୀ ଦାସ ମହାପାତ୍ର ଗଣମାଧ୍ୟମଠାରୁ ଦୂରେଇ ରହିଥିଲେ । ହଠାତ ଶ୍ରୀ ଦାସମହାପାତ୍ର ଗଜପତିଙ୍କୁ ରଥଯାତ୍ରା ସମ୍ପର୍କରେ ଚିଠି ଲେଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।