ଲଣ୍ଡନ: ମହାମାରୀ କୋଭିଡ-୧୯ ରେ ଆକ୍ରାନ୍ତ ଥିବା ରୋଗୀଙ୍କର ମୃତ୍ୟୁ ପାଇଁ ସେମାନଙ୍କ ଦୁର୍ବଳ ଖାଦ୍ୟ ଗ୍ରହଣକୁ ଦାୟୀ କରିଛନ୍ତି ୟୁକେରେ ଅବସ୍ଥାପିତ ଭାରତୀୟ ବଂଶୋଭବ ଜନୈକ ଅଗ୍ରଣୀ ହୃଦରୋଗ ବିଶେଷଜ୍ଞ । ଏ ପରିପ୍ରେକ୍ଷୀରେ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟଗ୍ରହଣରୁ ନିବୃତ୍ତ ରହିବା ଲାଗି ଡା.ଅସୀମ ମାଲହୋତ୍ରା ବିଶେଷ କରି ଭାରତୀୟମାନଙ୍କୁ ସତର୍କ କରାଇ ଦେଇଛନ୍ତି । ବ୍ରିଟେନ ଜାତୀୟ ସ୍ୱାସ୍ଥ୍ୟ ସେବାର ସଦସ୍ୟ ଥିବା ତଥା ପ୍ରମାଣସିଦ୍ଧ ଔଷଧର ଅନ୍ୟତମ ପ୍ରଫେସର ଡା.ମାଲହୋତ୍ରାଙ୍କ କହିବା କଥା ମେଦବହୁଳତା ଏବଂ ଓଜନ ବୃଦ୍ଧି ଅନେକ ଅସୁସ୍ଥତାର କାରଣ । ତେବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ଅଧିକ ଘାତକ ସାବ୍ୟସ୍ତ ହେବା ସହ ଅଚିରେ ରୋଗୀର ମୃତ୍ୟୁ ଘଟୁଛି । ଏ ପରିପ୍ରେକ୍ଷୀରେ ଭାରତୀୟମାନଙ୍କ ଠାରେ ଦେଖାଦେଉଥିବା ମାତ୍ରାଧିକ ଜୀବନଶୈଳୀ ଜନିତ ଅନ୍ୟାନ୍ୟ ରୋଗ ହିଁ ସେମାନଙ୍କୁ ସହଜରେ ସଂକ୍ରମଣ ପ୍ରବଣ କରିପକାଉଛି ବୋଲି ଏହି ୪୨ ବର୍ଷୀୟ ହୃଦରୋଗ ବିଶେଷଜ୍ଞ କହିଛନ୍ତି । ତେଣୁ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି ଭାରତୀୟମାନଙ୍କୁ ଏ ଦିଗରେ ସଚେତନ ହେବାକୁ ପଡ଼ିବ ବୋଲି ଡା.ମାଲହୋତ୍ରା ପରାମର୍ଶ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଟାଇପ-୨, ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ହେଉଛି କୋଭିଡ-୧୯ ଆକ୍ରାନ୍ତଙ୍କ ମୃତ୍ୟୁର ପ୍ରମୁଖ କାରଣ । ଏହି ସବୁ ରୋଗ ଶରୀରରେ ମାତ୍ରାଧିକ ଚର୍ବି ଯୋଗୁଁ ହିଁ ହୋଇଥାଏ । ଆମେରିକା ଏବଂ ୟୁକେ ପରି ପାଶ୍ଚାତ୍ୟ ରାଷ୍ଟ୍ରରେ କୋଭିଡ-୧୯ ଜନିତ ସଂଖ୍ୟାଧିକ ମୃତ୍ୟୁ କେବଳ ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ହୋଇଥାଏ ବୋଲି କୁହାଯାଇଛି ।
