ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ |

ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ |

ରାଜ୍ୟ

ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେନେଇ ଅନିଶ୍ଚିତତା ଲାଗି ରହିଛି । ତେବେ ରଥଯାତ୍ରା ପାଇଁ ରଥ ନିର୍ମାଣ କରାଯାଇପାରିବ । ଏନେଇ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତିଯେ, ପୁରୀ ଗ୍ରୀନ ଜୋନରେ ଅଛି । ଗ୍ରୀନ ଜୋନରେ ନିର୍ମାଣ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି । ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ । ଏହା ଏକ ନିର୍ମାଣ କାର୍ଯ୍ୟ । ରଥ ଅନୁକୂଳ ଓ ରଥ ପୂଜା ହେଉଛି ଧାର୍ମିକ କାର୍ଯ୍ୟ । ତେଣୁ ରଥ ନିର୍ମାଣ କରାଯାଇପାରିବ । ନିର୍ମାଣ କାର୍ଯ୍ୟ ନେଇ ସରକାର ଯେଉଁ ଗାଇଡ଼ଲାଇନ ଜାରି କରିଛନ୍ତି ସେହି ଆଧାରରେ ରଥ ନିର୍ମାଣ ହୋଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ପରିଚାଳନା କମିଟିରେ ଏଭଳି ନିଷ୍ପତି ନିଆଯାଇଛି । ତେବେ ଚୂଡ଼ାନ୍ତ ନିଷ୍ପତି ରାଜ୍ୟ ସରକାର ଗ୍ରହଣ କରିବେ । ସରକାରଙ୍କୁ କମିଟିର ମତ ସମ୍ପର୍କରେ ଅବଗତ କରାଯାଇଛି । ଆସନ୍ତା ଅପ୍ରେଲ ୧୭ ପର୍ଯ୍ୟନ୍ତ ଲକଡାଉନ ୩.୦ ଜାରି ରହିଛି । ଅପ୍ରେଲ ୧୮ରେ ନୂଆ ଗାଇଡ଼ଲାଇନ ଆସିବ । ନୂତନ ଗାଇଡ଼ଲାଇନ ଆଧାରରେ ପୁନଶ୍ଚ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବା ସହ ରଥଯାତ୍ରା ସମ୍ପର୍କରେ ସବିଶେଷ ଆଲୋଚନା କରାଯିବ ବୋଲି ଗଜପତି ମହାରାଜା ପ୍ରକାଶ କରିଛନ୍ତି । ସେହିପରି ସ୍ନାନଯାତ୍ରା ପାଇଁ ଆହୁରି ମାସେ ସମୟ ରହିଛି । ରଥଯାତ୍ରା ପାଇଁ ବି ଦେଢ଼ମାସ ସମୟ ଅଛି । ପରିବର୍ତିତ ସ୍ଥିତିରେ ସରକାର ଯାହା ନିଷ୍ପତି ନେବେ ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ । ଏବେ ରଥ ନିର୍ମାଣ କାର୍ଯ୍ୟ ୮ ଦିନ ପଛେଇ ଯାଇଛି । ତେଣୁ ଅଧିକ ସେବକଙ୍କୁ ଲଗାଇ ରଥ ନିର୍ମାଣ କରିବାକୁ ପରିଚାଳନା କମିଟିରେ ନିଷ୍ପତି ନିଆଯାଇଛି ।