ନୂଆଦିଲ୍ଲୀ: କରୋନା ସଂକଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକଡାଉନ ସମୟରେ ମଦ ଚାହିଦା ବହୁତ ବଢ଼ିଯାଇଥିବାରୁ ତାହାକୁ ନଜରରେ ରଖି ଲୋକମାନଙ୍କ ଘରେ ମଦ ପହଞ୍ଚାଇବା ବିଷୟରେ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଜୋମାଟୋ ଚିନ୍ତା କରୁଛି । ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ପୂର୍ବରୁ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ଇତି ମଧ୍ୟରେ ଲୋକମାନଙ୍କ ଘରେ ପନିପରିବା ଏବଂ ଗ୍ରୋସରୀ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟ ଆରମ୍ଭ କରିଛି । ମଦର ହୋମ ଡେଲିଭରି ପାଇଁ ଭାରତରେ କୌଣସି ନିୟମ ନାହିଁ । ଏଭଳି ନିୟମ ଆଣିବା ଲାଗି ଜୋମାଟୋ ଏବଂ ଅନ୍ୟ କିଛି ସଂସ୍ଥା ସହ ମିଶି ‘ସ୍ପିରିଟସ ଆଣ୍ଡ ୱାଇନ ଆସୋସିଏସନ ଅଫ ଇଣ୍ଡିଆ’ ପକ୍ଷରୁ ସରକାରଙ୍କ ନିକଟରେ ଲବି କରାଯାଉଛି ।
