ନିଜେ ପ୍ରସ୍ତୁତ କରିଥିବା କରୋନା ଔଷଧ ପିଇ ଫାର୍ମାସିଷ୍ଟ ମୃତ

ନିଜେ ପ୍ରସ୍ତୁତ କରିଥିବା କରୋନା ଔଷଧ ପିଇ ଫାର୍ମାସିଷ୍ଟ ମୃତ

ଜାତୀୟ ଖବର

ଚେନ୍ନାଇ: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । କରୋନାରୁ ରକ୍ଷା ପାଇବା ଲାଗି ଔଷଧ ଓ ଟିକା ବିକଶିତ କରିବାକୁ ବହୁ ଦେଶ ଉଦ୍ୟମ କରୁଛନ୍ତି । ଇତି ମଧ୍ୟରେ ଚେନ୍ନାଇରେ ଜଣେ ବ୍ୟକ୍ତି କରୋନାକୁ ମାତ ଦେବା ପାଇଁ ପ୍ରସ୍ତୁତ କରିଥିବା ଔଷଧକୁ ନିଜ ଉପରେ ପରୀକ୍ଷା କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଚେନ୍ନାଇର ପେରୁଙ୍ଗଗୁଡ଼ିର ବାସିନ୍ଦା ଶିବନେସନ ଏକ ଆୟୁର୍ବେଦ ଔଷଧ ଉତ୍ପାଦନ କମ୍ପାନୀରେ ଫାର୍ମାଶିଷ୍ଟ ଏବଂ ପ୍ରଡକସନ ମ୍ୟାନେଜର ଭାବେ କାମ କରୁଥିଲେ । ସେହି କମ୍ପାନୀ କଫ ସିରପ ପାଇଁ ପ୍ରସିଦ୍ଧ । କରୋନା ଭାଇରସ ସଂକ୍ରମଣ ବ୍ୟାପିବା ପରେ ଶିବନେସନ ଏବଂ ତାଙ୍କର ବସ ରାଜକୁମାର ଏହାକୁ ମାତ ଦେବାକୁ ଔଷଧ ପ୍ରସ୍ତୁତ କରିବାକୁ ଉଦ୍ୟମ କରୁଥିଲେ । ସେମାନେ କରୋନା ପାଇଁ ପ୍ରସ୍ତୁତ କରୁଥିବା ଔଷଧକୁ ନିଜ ଉପରେ ପରୀକ୍ଷା କରିଥିଲେ । ରାଜକୁମାର ଔଷଧର କିଛି ବୁନ୍ଦା ପିଇଥିବା ବେଳେ ଶିବନେସନ ଅଧିକ ମାତ୍ରାରେ ତାର ସେବନ କରିଥିଲେ । ଔଷଧ ପିଇବା ପରେ ଉଭୟ ବେହୋସ ହୋଇଯାଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଶିବନେସନଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ରାଜକୁମାରଙ୍କ ଅବସ୍ଥା ସ୍ଥିର ଥିବା କଥା କୁହାଯାଇଚି । ତାଙ୍କର ଚିକିତ୍ସା ଜାରି ରହିଛି । ପୁଲିସ ଏହି ଅଘଟଣର ତଦନ୍ତ କରୁଛି ।