ସରକାରଙ୍କୁ ଘାରିଛି ରାଜସ୍ୱ ଚିନ୍ତା, ୧୨ ଲକ୍ଷ କୋଟି ଋଣ କରିବ କେନ୍ଦ୍ର

ସରକାରଙ୍କୁ ଘାରିଛି ରାଜସ୍ୱ ଚିନ୍ତା, ୧୨ ଲକ୍ଷ କୋଟି ଋଣ କରିବ କେନ୍ଦ୍ର

ଜାତୀୟ ଖବର

ମୁମ୍ବାଇ: କରୋନା ଭୂତାଣୁ ବା କୋଭିଡ-୧୯ ସରକାରଙ୍କ ବିତ୍ତୀୟ ଗଣିତକୁ ଏପଟ ସେପଟ କରିଦେଇଛି । ଆର୍ଥିକ ଚାପରେ ଅଛନ୍ତି ସରକାର । ଏହି ବିପତ୍ତିରୁ ମୁକୁଳିବା ପାଇଁ ଲୋଡ଼ାଯାଉଛି ବିପୁଳ ପାଣ୍ଠି । ସାମ୍ପ୍ରତିକ ପରିସ୍ଥିତିରେ ଟିକସ ଆଦାୟ ବହୁ ମାତ୍ରାରେ ହ୍ରାସ ପାଇଛି । ପରିସ୍ଥିତି ଯାହା, ଆଗକୁ ଏହା ଆହୁରି କମିବ । ସରକାରୀ ରାଜସ୍ୱ ବର୍ତ୍ତମାନର ସ୍ଥିତି ସମ୍ଭାଳିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ଏଭଳି କ୍ଷେତ୍ରରେ ଏ ବର୍ଷ କେନ୍ଦ୍ର ସରକାର ବଜାରରୁ ୧୨ ଲକ୍ଷ କୋଟି ଟଙ୍କାଋଣ କରିବେ । ୨୦୨୦-୨୧ ବଜେଟ ଲକ୍ଷ୍ୟଠାରୁ ଏହା ୫୪% ଅଧିକ । ସୂଚନା ଯୋଗ୍ୟ, ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭.୮ ଲକ୍ଷ କୋଟି ଟଙ୍କାର କରଜ ଧାର୍ଯ୍ୟ କରିଥିଲେ । କିନ୍ତୁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ଥିବାରୁ ବିପୁଳ ରାଜସ୍ୱ କ୍ଷତି ଘଟିଛି । ତେଣୁ ସରକାର ଏହାକୁ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି । ସଂଶୋଧିତ କରଜ ଲକ୍ଷ୍ୟ ସହିତ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ମଧ୍ୟ ବଢ଼ାଇବାକୁ ପଡ଼ିବ । ଏ ବର୍ଷ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୫% କୁ ବଢ଼ିପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କରିଛନ୍ତି । ଫଳରେ ସରକାରଙ୍କୁ ରାଜସ୍ୱ ଚିନ୍ତା ଘାରିଛି । ଏଭଳି କ୍ଷେତ୍ରରେ ଅଧିକ ମାତ୍ରାରେ ଋଣ କରିବାକୁ ବାଧ୍ୟ ହୋଇଛନ୍ତି ସରକାର ।