ଅନଲାଇନରେ ହେବ ପରୀକ୍ଷା

ଅନଲାଇନରେ ହେବ ପରୀକ୍ଷା

ରାଜ୍ୟ

ସମ୍ବଲପୁର: ଲକଡାଉନ ଯୋଗୁଁ ଅନଲାଇନରେ ହେବ ଆଇଆଇଏମ ସମ୍ବଲପୁରର ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ପରୀକ୍ଷା । ଅନଲାଇନ ପ୍ରୋକ୍ଟୋରିଂ ସିଷ୍ଟମରେ ପରୀକ୍ଷା କରିବାରେ ସମ୍ବଲପୁର ଏହା ଫଳରେ ଦେଶର ପ୍ରଥମ ଆଇଆଇଏମ ହେବ ବୋଲି ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି । ଜୁନ ମାସରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲକଡାଉନରେ କଲେଜ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ମେଡିକାଲ, ଇଞ୍ଜିନିୟରିଂ ସମେତ ସବୁ ବୈଷୟିକ ବିଷୟର ବିଦ୍ୟାର୍ଥୀଙ୍କ ମୁଣ୍ଡରେ ଝୁଲୁଛି ବର୍ଷ ନଷ୍ଟ ହେବାର ଖଣ୍ଡା । ଆଇଆଇଏମ ସମ୍ବଲପୁର ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେମାନଙ୍କ ପରୀକ୍ଷା ମାର୍ଚ୍ଚ ଦ୍ୱିତୀୟ ଏବଂ ତୃତୀୟ ସପ୍ତାହରେ ହୋଇଥାଏ । ଲକଡାଉନ ଯୋଗୁଁ ସବୁ ବିଦ୍ୟାର୍ଥୀଙ୍କୁ ବାଧ୍ୟ ହୋଇ କଲେଜ ଏବଂ ଛାତ୍ରାବାସ ଛାଡ଼ିବାକୁ ପଡ଼ିଥିା । ବର୍ତ୍ତମାନ ଯେଉଁଭଳି କୋଭିଡ ଏବଂ ଲକଡାଉନ ସ୍ଥିତି ରହିଛି ଏହା କେବେ ସ୍ୱାଭାବିକ ହେବ ତାହା ମଧ୍ୟ ଅନିଶ୍ଚିତତାରେ ରହିଛି । ଏହି ସ୍ଥିତିର ମୁକାବିଲା ପାଇଁ ଅନଲାଇନ ପ୍ରୋକ୍ରୋରିଂ ପ୍ରକ୍ରିୟା ଗ୍ରହଣ କରାଯାଉଛି । ବିଦ୍ୟାର୍ଥୀମାନେ ଘରେ ବସି ଲାପଟପ କିମ୍ବା କମ୍ପ୍ୟୁଟରରେ ପରୀକ୍ଷା ଦେବେ । ପ୍ରଥମ ବର୍ଷର ଶହେ ବିଦ୍ୟାର୍ଥୀ ୧୨ ବିଷୟର ପରୀକ୍ଷା ଦେବେ । ପରୀକ୍ଷା ସମୟରେ ବିଦ୍ୟାର୍ଥୀମାନେ କୌଣସି ବାହାରର ସହାୟତା ମଧ୍ୟ ନେଇପାରିବେ ନାହିଁ । ପରୀକ୍ଷା ସମୟରେ ବିଦ୍ୟାର୍ଥୀଙ୍କ ସାମାନ୍ୟ ଚଳପ୍ରଚଳ ଧରାପଡ଼ିଯିବ । ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ଉତ୍ତରଖାତା ମୂଲ୍ୟାୟନ ଆଇଆଇଏମ ସମ୍ବଲପୁରର ଫେକଲଟିମାନେ ହିଁ କରିବେ । ତୃତୀୟ ପକ୍ଷ ଏହି ପରୀକ୍ଷା ପରିଚାଳନା କରିବେ । ଏଥିପାଇଁ କୋଟେସନ ମଗାଯାଇଛି । ଅନଲାଇନ ପରୀକ୍ଷାରେ ବିଶେଷ ଖର୍ଚ୍ଚ ମଧ୍ୟ ହେବ ନାହିଁ ବୋଲି ଆଶା ରହିଛି ।