୧୫ରୁ ସମୁଦ୍ର ରହିବ ଅଶାନ୍ତ

୧୫ରୁ ସମୁଦ୍ର ରହିବ ଅଶାନ୍ତ

ରାଜ୍ୟ

ବଙ୍ଗୋପସାଗର...... ବାତ୍ୟା ଅଧିକ ଘନୀଭୂତ ହେଲେ ସଠିକ ଭାବେ ଆକଳନ କରାଯାଇପାରିବ । ତେବେ ଆସନ୍ତା ୧୫ ତାରିଖ ଠାରୁ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବାନୁଯାୟୀ ପୂର୍ବ ଆକଳନ ମୁତାବକ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର ସୁମାତ୍ରା ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଠାରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗୁରୁବାର ଏହା ଅଧିକ ସଂଗଠିତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ଉତ୍ତର ଦିଗରେ ଗତି କରି ୧୬ ତାରିଖରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ସେତେବେଳେ ଏହା କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ରହିଥିବ । ଏହା ପରେ ପ୍ରାୟତଃ ଉତ୍ତର ଦିଗରେ ଗତି କରି ୧୭ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟାର ଗତି ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏନସିୟୁଏମ ମଡେଲ ଅନୁଯାୟୀ ଏହା ତାମିଲନାଡୁ ଉପକୂଳ ନିକଟରେ ସୃଷ୍ଟି ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ପୂର୍ବ ଉପକୂଳ ତଥା ଆନ୍ଧପ୍ରଦେଶରେ ସ୍ପର୍ଶ କରିବ । ଭାରତୀୟ ପାଣିପାଗ ବିଭାଗର ଜିଏଫଏସ ମଡେଲର ଅନୁଯାୟୀ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ସ୍ପର୍ଶ କରିପାରେ । ଅନ୍ୟ କେତେକ ମଡେଲ ଅନୁଯାୟୀ ଭାରତର ପୂର୍ବ ଉପକୂଳରେ ସମାନ୍ତରାଳରେ ଗତି କରି ଓଡ଼ିଶା ଉପକୂଳରେ ଘସି ହୋଇ ପଶ୍ଚିମବଙ୍ଗର ସୁନ୍ଦରବନ ଆଡ଼କୁ ଗତି କରିବ । ଆମେରିକାର ଏନସିଇପି, ଭାରତୀୟ ପାଣିପାଗ ବିଭାଗର ଜିଇଏଫଏସ ତଥା ଜିପିପି ମୂଲ୍ୟ ଅନୁଯାୟୀ ୧୭ ତାରିଖ ପରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗର ଚିତଗଙ୍ଗକୁ ସ୍ପର୍ଶ କରିବାର ସମ୍ଭାବନା ରହିଛି । ପ୍ରଫେସର ପଶୁପାଳକ ଆହୁରି ଆକଳନ କରିଛନ୍ତି ଯେ ଉତ୍ତର ବଙ୍ଗୋପସାଗର ପରିସ୍ଥିତି ବାତ୍ୟା ଘନୀଭୂତ ହେବା ପାଇଁ ଅନୁକୂଳ ହେଉଛି । ଏହା ପୂର୍ବରୁ ଆକଳନ କରାଯାଇଥିବା ମିଆଁମାର ଆଡେ ଯିବା ସମ୍ଭାବନା କମ ରହିଛି । କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ବାତ୍ୟାର କେନ୍ଦ୍ରକୁ ଚାରି ଆଡୁ ଆସୁଥିବା ପବନର ବେଗ, ବାତ୍ୟା କେନ୍ଦ୍ରରୁ ଉପର ବାୟୁମଣ୍ଡଳକୁ ପବନ ଯିବାର ବେଗ, ଉପର ବାୟୁ ମଣ୍ଡଳରେ ବିଚ୍ଛୁଳିତ ପବନ ଓ ଏହା ଉପରେ ବାୟୁ ମଣ୍ଡଳ ସହ ଲମ୍ବିତ ହୋଇଥିବାରୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ୧୭ ତାରିଖରେ ଏହା ଭୀଷଣ ବାତ୍ୟା, ୧୮ ଓ ୧୯ ତାରିଖରେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ସେତେବେଳକୁ ଏହା ଉତ୍ତର ବଙ୍ଗୋପସାଗରରେ ଅବସ୍ଥିତ ଥିବ । ଏବେ ଉପର ବାୟୁମଣ୍ଡଳରେ ପଶ୍ଚିମା ପବନ ଜାରି ରହିବ । ଏଥିସହ ବାତ୍ୟା କେନ୍ଦ୍ରର ଚାରି ପାଶ୍ୱର୍ରେ ପବନର ଚାପରୁ ଜଣାପଡ଼ୁଛି ଏହା ୧୭ ତାରିଖ ପରେ ଦିଗ ପରିବର୍ତ୍ତନ କରି ପଶ୍ଚିମବଙ୍ଗ ଓ ବଙ୍ଗଲାଦେଶ ଆଡ଼କୁ ମୁହାଁଇବ । ଓଡ଼ିଶା ଉପକୂଳ ଘସି ହୋଇଯିବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ୧୭ ତାରିଖ ସୁଦ୍ଧା ବାତ୍ୟା ଓଡ଼ିଶା ଉପରେ ପ୍ରଭାବ ସଠିକ ଜଣାପଡ଼ିବ । ପାଣିପାଗ ବିଶେଷଜ୍ଞ ଶରତ ଚନ୍‍୍ରଦ ସାହୁ କହିଛନ୍ତି ଯେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମେ’ ୧୬ ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ । ମେ’୧୯ ପର୍ଯ୍ୟନ୍ତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପ୍ରଭାବ ଜାରି ରହିବ । ୧୯ କିମ୍ବା ୨୦ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶ ଉପକୂଳର ନିକଟବର୍ତ୍ତୀ ହେବାର ସମ୍ଭାବନା ରହିଛି । ଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ । କାରଣ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ନିମନ୍ତେ ଆବଶ୍ୟକୀୟ ପରିବେଶ ଓ ସମୁଦ୍ର ପୃଷ୍ଠର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ରହିଥିବାରୁ ଏହି ସମ୍ଭାବନା ଦୃଢ଼ୀଭୂତ ହୋଇଛି ।