ମଦ ହୋମ ଡେଲିଭରୀ ପାଇଁ ମିଳିଲା ଅନୁମତି

ମଦ ହୋମ ଡେଲିଭରୀ ପାଇଁ ମିଳିଲା ଅନୁମତି

ଜାତୀୟ ଖବର

ମୁମ୍ବାଇ: କରୋନା ଲକଡାଉନର ପ୍ରଥମ ପର୍ଯ୍ୟାୟରେ ସମସ୍ତ ଦୋକାନ ବଜାର ବନ୍ଦ ଥିଲା । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ ଅଧିକାଂଶ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଫଳରେ ମଦ ଦୋକାନ ଆଗରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ମଦ ଦୋକାନ ସମ୍ମୁଖରେ ତାହାର ଉଲ୍ଲଂଘନ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ମଦର ହୋମ ଡେଲିଭରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ମଦ ଦୋକାନ ସମ୍ମୁଖରେ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଠାରୁ ମଦର ହୋମ ଡେଲିଭରୀ କରାଯିବ । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏନେଇ ବୁଧବାର ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ପ୍ରକାଶ ଯେ, ରାଜ୍ୟ ସରକାର ମଦର ହୋମ ଡେଲିଭରୀ ପାଇଁ ମଙ୍ଗଳବାର ଅନୁମତି ଦେଇଥିଲେ । କିନ୍ତୁ ମଦ ବ୍ୟବସାୟୀମାନେ ଏନେଇ ପ୍ରସ୍ତୁତ ହେବା ପାଇଁ କିଛି ସମୟ ମାଗିଥିଲେ । ତେବେ ଶୁକ୍ରବାର ଠାରୁ ହିଁ ମଦର ହୋମ ଡେଲିଭରୀ କରାଯିବାକୁ ନିଷ୍ପତ୍ତି ହୋଇଛି । କରୋନା ସଂକ୍ରମିତ କିଛି ଅଞ୍ଚଳରେ ପୂର୍ବରୁ ହିଁ ମଦ ଦୋକାନ ଖୋଲାଯାଇଥିଲା । ସେହି ଅଞ୍ଚଳରେ ଏହି ସେବା ପ୍ରଦାନ କରାଯିବ । ତେବେ ମଦ ପହଞ୍ଚାଇବା ପାଇଁ ଜଣେ ଦୋକାନୀ ୧୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରିପାରିବେ ନାହିଁ । ଏହାଛଡ଼ା ଜଣେ ବ୍ୟକ୍ତି ୨୪ ବୋତଲରୁ ଅଧିକ ମଦ ନେଇପାରିବେ ନାହିଁ । ଅନ୍ୟପକ୍ଷରେ ମଦ ବୋତଲରେ ଲେଖାଯାଇଥିବା ଏମଆରପି ମୂଲ୍ୟ ଠାରୁ ଅଧିକ ଦାମରେ ମଦ ମଧ୍ୟ ବିକ୍ରି କରାଯାଇପାରିବ ନାହିଁ ବୋଲି ନିଦେ୍ର୍ଧଶ ଦିଆଯାଇଛି ।