ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଉ: ମାନସ ଚୌଧୁରୀ

ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଉ: ମାନସ ଚୌଧୁରୀ

ରାଜ୍ୟ

ଭୁବନେଶ୍ୱର : ବାଲିଆପାଳ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ନାହିଁ | ତାଙ୍କୁ କେବଳ ଚେତାବନୀ ଦିଆଯିବା ଦରକାର | ଆପରପକ୍ଷରେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ଧୈର୍ଯ୍ୟ ରଖିବା ଦରକାର ବୋଲି ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି | ବାଲିଆପାଳ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଯାହା ଘଟିଲା ତାହା ଦୁଃଖଦାୟକ । ଶ୍ରମିକଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବାର ଭିଡ଼ିଓ ବି ଭାଇରାଲ ହୋଇଛି । ବିଡ଼ିଓଙ୍କ ଏତାଦୃଶ ବ୍ୟବହାର ଗ୍ରହଣୀୟ ନୁହେଁ । କିନ୍ତୁ ବାଲିଆପାଳ ବିଡ଼ିଓଙ୍କ ଆଚରଣକୁ ନେଇ କେତେକ ରାଜନେତା ଓ ବୁଦ୍ଧିଜୀବୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଏଭଳି ସଂକଟ ସମୟରେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦିନରାତି ଏକ କରି କାମ କରୁଛନ୍ତି । ଏଭଳି ସ୍ଥିତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସେମାନଙ୍କ ମନୋବଳ ଭାଙ୍ଗିଯିବାର ଆଶଙ୍କା ରହିଛି । ତେଣୁ କାର୍ଯ୍ୟାନୁଷ୍ଠାନ ନନେଇ ପ୍ରଶାସନିକ ଚେତାବନୀ ଦେବା ଦରକାର । ଅପରପକ୍ଷରେ ବାହାର ରାଜ୍ୟରେ ରହିଥିବା ଆମ ଭାଇଉଭଣୀମାନେ ବହୁ କଷ୍ଟରେ ରହୁଥିବା କଥା ଆମେ ଜାଣିଛେ । ଏବେ ଓଡ଼ିଶା ଫେରିବା ପରେ ସେମାନଙ୍କ ରହିବା, ଖାଇବା ଆଦି କଥା ପ୍ରଶାସନିକ ଅଧିକାରୀମାନେ ହିଁ ବୁଝୁଛନ୍ତି । ଏଭଳି ସନ୍ଦିକ୍ଷଣରେ ସେମାନେ ଧୈର୍ଯ୍ୟଚୁ୍ୟତ ନହୋଇ ପ୍ରଶାସନକୁ ସହଯୋଗ କରିବା କଥା । ଯଦି ତ୍ରୁଟି ଅଛି ତେବେ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବି ବାହାରିପାରିବ । ସରକାରୀ ଅଧିକାରୀଙ୍କୁ ଦୁର୍ବବ୍ୟହାର କରିବା ବି ଠିକ କଥା ନୁହେଁ । ପ୍ରଶାସନ, ରାଜନେତା ଓ ପ୍ରବାସୀ ଓଡ଼ିଆଙ୍କ ମିଳିତ ସହଯୋଗରେ ହିଁ ଆମେ କରୋନା ସଂକ୍ରମଣକୁ ରୋକିପାରିବା ।