ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ

ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ

ରାଜ୍ୟ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଜନନେତା ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି ୯୮ ବର୍ଷ ବୟସରେ ପରଲୋକ ହୋଇଛି। କ୍ୟାପିଟାଲ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି । ଏକାଧାରରେ ଜଣେ ଦେଶପ୍ରେମୀ, ବିଶିଷ୍ଟ ରାଜନୀତିଜ୍ଞ ଓ ସମାଜସେବୀ ଭାବେ ପରିଚିତ ଭବାନୀ ଚରଣ ୧୯୬୧, ୧୯୬୬ ଓ ୧୯୭୮ରେ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୨୨ ମସିହା ମେ ୧୧ତାରିଖରେ ଜନ୍ମଗ୍ରହଣ କରିଥିବା ଭବାନୀ ପଟ୍ଟନାୟକ ଦେଶର ବହୁ ବରିଷ୍ଠ ରାଜନେତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଭାବେ ସେ ବେଶ୍ ଜଣାଶୁଣା ଥିଲା । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପଦ୍ମଶ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଭବାନୀ ପଟ୍ଟନାୟକଙ୍କୁ ଜଣେ ମହାନ ଦେଶପ୍ରେମୀ ଥିଲେ ଏବଂ ସେ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ନିଜର ଜୀବନ ଉତ୍ସର୍ଗ କରିଥିଲେ ବୋଲି କହିଛନ୍ତି ନବୀନ। ତାଙ୍କ ମୃତ୍ୟୁରେ ଓଡ଼ିଆ ଜାତି ଏକ ପ୍ରକୃତ ଗାନ୍ଧୀବାଦୀ ନେତା ଏବଂ କର୍ମଯୋଗୀଙ୍କୁ ହରାଇଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଭବାନୀ ପଟ୍ଟନାୟକଙ୍କ ମୃତ୍ୟୁରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।