କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନାରେ ଲୋକପ୍ରତିନିଧିଙ୍କ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରମିଳା ବିଶୋଇ  |

କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନାରେ ଲୋକପ୍ରତିନିଧିଙ୍କ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରମିଳା ବିଶୋଇ |

ରାଜ୍ୟ

କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । ଏହାକୁ ମୁକାବିଲା ପାଇଁ ବହୁ କରୋନା ଯୋଦ୍ଧାଙ୍କ ସହ ବହୁ ସରକାରୀ ଅଧିକାରୀ ଏଥିରେ ନିୟୋଜିତ ହୋଇଛନ୍ତି । ତେବେ ବର୍ତ୍ତମାନ କରୋନା ମୁକାବିଲାରେ ଜନପ୍ରତିନିଧିମାନଙ୍କୁ ସାମିଲ କରିବାକୁ ଦାବି ଉଠୁଛି । ଏନେଇ ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବାବେଳେ ଏବେ ସାଂସଦ ପ୍ରମିଳା ବିଶୋଇ ସମାନ ଦାବି କରି ଜିଲ୍ଲାପାଳଙ୍କୁ ଚିିଠି ଲେଖିଛନ୍ତି । କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନାରେ ଲୋକପ୍ରତିନିଧିଙ୍କୁ ସାମିଲ ପାଇଁ ପ୍ରମିଳା ବିଶୋଇ ଦାବି କରିଛନ୍ତି । ଏଥିସହ କ୍ୱାରେଣ୍ଟାଇନ କେନ୍ଦ୍ରରେ ବହୁ ଅସୁବିଧା ଥିବା କହିଛନ୍ତି । ସେ କହିଛନ୍ତି ଯେ, ପଞ୍ଚାୟତ କ୍ୱାରେଣ୍ଟାଇନରେ ପର୍ଯ୍ୟାନ୍ତ ଲୋକଙ୍କୁ ରଖିବା ସୁବିଧା ନାହିଁ । ପ୍ରବାସୀଙ୍କ ଆଗମନ ବଢୁଥିବାରୁ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥା ହେଉ । କ୍ୱାରେଣ୍ଟାଇନରେ ପାଇଖାନା ଓ ପରିମଳ ବ୍ୟବସ୍ଥା ଯଥେଷ୍ଟ ମାତ୍ରାରେ ନାହିଁ । ତୁରନ୍ତ ସ୍କୁଲଗୁଡ଼ିକରେ ଅସ୍ଥାୟୀ ପାଇଖାନା ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି । ଏହାଛଡ଼ା ଉଚିତ ପରିଚାଳନା ପାଇଁ ୱାର୍ଡମେମ୍ବରମାନଙ୍କୁ ମଧ୍ୟ ନିୟୋଜିତ କରିବାକୁ ସେ ଦାବି କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା ଥିବାବେଳେ ସୁରକ୍ଷାକୁ ବୃଦ୍ଧି କରିବାକୁ ପ୍ରମିଳା ବିଶୋଇ ଦାବି କରିଛନ୍ତି ।