କଟକ: ଫେରନ୍ତା ପ୍ରବାସୀଙ୍କର ସ୍କ୍ରିନିଂ ଟେଷ୍ଟ କରାଯିବା ପରେ ଯଦି ସେମାନଙ୍କଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଉନଥାଏ ତା ହେଲେ ସେମାନେ ରାଜ୍ୟକୁ ଫେରି ପାରିବେ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଏହି ବିଜ୍ଞପ୍ତି ଆଧାରରେ ପ୍ରବାସୀମାନେ ଏବେ ରାଜ୍ୟକୁ ଫେରୁଛନ୍ତି । କିନ୍ତୁ କେବଳ ଥର୍ମାଲ ସ୍କ୍ରିନିଂ ଦ୍ୱାରା ଜଣେ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଥିଲେ ମଧ୍ୟ ତାହା ଜଣାପଡ଼ିବାର ସମ୍ଭାବନା କମ୍ ରହୁଛି । ଫଳରେ ଅନେକ ବ୍ୟକ୍ତି ସ୍କ୍ରିନିଂ ଟେଷ୍ଟ ସାରି ଆସିବା ପରେ ମଧ୍ୟ ସେମାନଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡ଼ୁଛି । ତେଣୁ ଫେରନ୍ତା ପ୍ରବାସୀମାନଙ୍କର ସ୍କ୍ରିନିଂ ଟେଷ୍ଟ ପରିବର୍ତ୍ତେ ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ (ଆରଡିଟି) କରାଯାଇ ସେମାନଙ୍କୁ ଅଣାଯିବା ଆବଶ୍ୟକ । ତେଣୁ ପୂର୍ବରୁ ଗୃହ ମନ୍ତ୍ରାଳୟ ଯେଉଁ ବିଜ୍ଞପ୍ତି ଜାରି କରିଥିଲେ ସେଥିରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ବିଜ୍ଞପ୍ତି ସଂଶୋଧିତ ନ ହେବା ପର୍ଯ୍ୟନ୍ତ ପ୍ରବାସୀଙ୍କ ଆଗମନ ଉପରେ କଟକଣା ଲଗାଇବାକୁ ଆବେଦନର ପ୍ରାର୍ଥନା କରାଯାଇଛି । ଆବେଦନକାରୀ ଅସ୍ମୀୟ ରଞ୍ଜନ ମାଝୀ ଏହି ମାମଲା ରୁଜୁ କରିଛନ୍ତି । ଗ୍ରାମାଞ୍ଚଳରେ ବଡ଼ ବଡ଼ ପରିବାରରେ ସମସ୍ତେ ମିଳିମିଶି ରହିଥାନ୍ତି । ତେଣୁ ଜଣେ ବ୍ୟକ୍ତି ହୋମ କ୍ୱାରେଣ୍ଟାଇନରେ ରହିବା ସହଜ ନୁହେଁ । ଏହା ଦ୍ୱାରା ଆଉ ଏକ ବଡ଼ ବିପଦକୁ ବରଣ କଲା ଭଳି କଥା ହେବ । ଏଭଳି ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ନାୟକ ଏହି ମାମଲା ରୁଜୁ କରିଛନ୍ତି ।
