ଅସୁରକ୍ଷିତ ହୋଇପଡ଼ିଛି ୮୪% ଭାରତୀୟଙ୍କ ଆର୍ଥିକ ସ୍ଥିତି |

ଅସୁରକ୍ଷିତ ହୋଇପଡ଼ିଛି ୮୪% ଭାରତୀୟଙ୍କ ଆର୍ଥିକ ସ୍ଥିତି |

ବିଶେଷ ଖବର

ନୂଆଦିଲ୍ଳୀ: “ନିଜ ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ” ଭଳି ବିଶ୍ୱର ସର୍ବାଧିକ କଠୋର କଟକଣା ଲାଗୁ ହେବାରୁ ଭାରତର ପ୍ରାୟ ୮୪% ଘରର ଆର୍ଥିକ ସ୍ଥିତି ଅସୁରକ୍ଷିତ ହୋଇପଡ଼ିଛି । ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଅନେକଙ୍କର ଆୟ ଏଭଳି ପ୍ରଭାବିତ ହୋଇଛି ଯେ ସେମାନେ କୌଣସି ସହାୟତା ନ ପାଇଲେ ପେଟକୁ ଦାନା ମୁଠେ ବି ଯୋଗାଡ଼ କରିପାରିବେ ନାହିଁ । ସାମାଜିକ କ୍ଷେତ୍ର ଉପରେ କାର୍ଯ୍ୟ କରୁଥିବା ଚିକାଗୋର ଏକ କେନ୍ଦ୍ର, ଏପ୍ରିଲ ମାସରେ ଭାରତରେ ୨୭ଟି ରାଜ୍ୟର ୫,୮୦୦ଟି ଘରର ସର୍ବେକ୍ଷଣ କରି ଏଭଳି ତଥ୍ୟ ପାଇଛି । ଗବେଷକମାନେ ପାଇଛନ୍ତି ଯେ ଭାରତର ଗ୍ରାମାଞ୍ଚଳ ହିଁ ଏହି କଠୋର ଲକଡାଉନ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଛି ଏବଂ କରୋନା ଭୂତାଣୁ ବ୍ୟାପିବା ଦ୍ୱାରା ଅର୍ଥନୀତିକ ଦୁର୍ଗତି ଆସିନାହିଁ । ଲକଡାଉନ ପୂର୍ବରୁ ମୁଣ୍ଡପିଛା ଆୟ, ଲକଡାଉନ ପରେ ଗୁରୁତର ହ୍ରାସ ପାଇଛି । ୧୦ କୋଟି ଭାରତୀୟ ସେମାନଙ୍କ କାମଧନ୍ଦା ବା ଚାକିରି ହରାଇଛନ୍ତି । ଭୂତାଣୁ ବ୍ୟାପିବା ଆଶଙ୍କାରେ ସରକାର ଅନେକ ସାମଗ୍ରୀର ଉତ୍ପାଦିତ ଓ ଯୋଗଣକୁ ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ତେବେ ଗୁରୁବାର ସରକାର କୃଷକ ଓ ଶ୍ରମିକଙ୍କୁ ଶସ୍ତା ଋଣ ଓ ମାଗଣା ଖାଦ୍ୟ ଦେଇ ବିଶାଳ ଅନୌପଚାରିକ କ୍ଷେତ୍ରରେ କଷ୍ଟକୁ କମ୍‍ କରିବାକୁ ଚେଷ୍ଟା କରିଛନ୍ତି । କରୋନା ମହାମାରୀ ସଂକଟ ଯୋଗୁଁ ୧୩୦ କୋଟି ଦେଶବାସୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ତ୍ରିପୁରା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ହରିୟାଣା । ଏହି ଅଧ୍ୟୟନ କରିଛନ୍ତି ୟୁନିଭର୍ସିଟି ଚିକାଗୋର ଅର୍ଥଶାସ୍ତ୍ର ପ୍ରାଧ୍ୟାପକ ମାରିଆନେ ବର୍ଟ୍ରାଣ୍ଡ, ସିଏମଆଇଇର ମୁଖ୍ୟ ଅର୍ଥନୀତିଜ୍ଞ କୌଶିକ କ୍ରିଷ୍ଣନ ଏବଂ ପେରେଲମ୍ୟାନ ସ୍କୁଲ ଅଫ ମେଡିସିନର ଜଣେ ସହକାରୀ ପ୍ରାଧ୍ୟାପକ । ସେମାନେ ତଥ୍ୟ ବାହାର କରିଛନ୍ତି ଯେ ୩୪% ପରିବାର କୌଣସି ସହାୟତା ନ ପାଇଲେ, ସପ୍ତାହେରୁ ଅଧିକ ଦିନ ତିଷ୍ଠିପାରିବେ ନାହିଁ । ଆଉ ସମସ୍ତ ପରିବାର କାମଧନ୍ଦା ହରାଇ ଘୋର ହଇରାଣରେ ପଡ଼ିଛନ୍ତି ।