ବେତନଟୀ: ସଙ୍ଗରୋଧ କେନ୍ଦ୍ରରେ ଆତ୍ମହତ୍ୟା ଘଟଣାକୁ ନେଇ ତାତିଲେ ଗ୍ରାମବାସୀ । ବେତନଟୀ ବ୍ଲକ ଅଁଳା ପଞ୍ଚାୟତ ଡମ୍ବରୁଡହର ସଙ୍ଗରୋଧ କେନ୍ଦ୍ରରେ ଏତେବଡ଼ ଘଟଣା ଘଟିଥିଲେ ମଧ୍ୟ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ସ୍ଥାନୀୟ ରଇକମାର ମହିଳାମାନେ ସରପଞ୍ଚ କୃଷ୍ଣଚନ୍ଦ୍ର ହେମ୍ବ୍ରମ ଓ ସମିତି ସଭ୍ୟ ବସନ୍ତ ସାମଲଙ୍କୁ ଅଟକ ରଖିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ । ଶେଷରେ ଉଭୟଙ୍କୁ ମହିଳାମାନେ ବାନ୍ଧି ପକାଇଥିଲେ । ଏ ସମ୍ପର୍କରେ ଖବର ପାଇ ବୈଶିଙ୍ଗା ଥାନା ଏସଆଇ ସୁଶାନ୍ତ ମହାକୁଡ଼ ଓ ଟିମ୍ ସେଠାରେ ପହଞ୍ଚି ଘଟଣାର ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହା ପରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳୀ ଓ ବୈଶିଙ୍ଗା ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁ ସେଠାରେ ପହଞ୍ଚିଥିଲେ । ବିଧାୟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲେ । ଜିଲ୍ଲାପାଳ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଛାଡ଼ିଥିଲେ । ଗତ ୧୦ ତାରିଖରେ ରାଇକମା ଗାଁର ସୁରେନ୍ଦ୍ର ବେହେରା ସଙ୍ଗରୋଧ କେନ୍ଦ୍ରରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଶାସନ ତଦନ୍ତରେ ଅବହେଳା କରୁଥିବା ଦର୍ଶାଇ ମହିଳାମାନେ ଦୁଇଜଣ ଜନପ୍ରତିନିଧିଙ୍କୁ ବାନ୍ଧି ପକାଇବା ଭଳି ପଦକ୍ଷେପ ନେଇଥିଲେ ।
