ଲକ୍ଷ୍ନୌ: ଭୋକିଲା ପେଟରେ ୩ ଦିନ ଧରି ଯାତ୍ରା କରିବା ପରେ ପ୍ରାଣ ହରାଇଛନ୍ତି ଜଣେ ୬୦ ବର୍ଷୀୟ ପ୍ରବାସୀ ଶ୍ରମିକ । ମହାରାଷ୍ଟ୍ରରୁ ସେ ଉତ୍ତର ପ୍ରଦେଶ ଅଭିମୁଖେ ଆସୁଥିଲେ । ସାଙ୍ଗରେ ପରିବାର ସଦସ୍ୟ ଥିଲେ । ଶେଷ ଥର ପାଇଁ ଶୁକ୍ରବାର ସେ ଖାଦ୍ୟ ଖାଇଥିଲେ ଏବଂ ତା ପରଠାରୁ କେବଳ ବିସ୍କୁଟ ଓ ପାଣି ପିଇଥିଲେ । ଭୋକିଲା ପେଟରେ ୩ ଦିନ ଧରି ଯାତ୍ରା କରିବା ପରେ ସେ ରବିବାର ଅସୁସ୍ଥ ହୋଇ ପଡ଼ିଥିଲେ । ଏହା ପରେ ତାଙ୍କର ମୃତ୍ୟୁ ଘଟିଛି । ଖାଲି ପେଟରେ ଯାତ୍ରା କରିବାରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ମିଳିଥିବା ଖବର ମୁତାବକ ୬୦ ବର୍ଷୀୟ ପ୍ରବାସୀ ଶ୍ରମିକ ବିକ୍ରମ ନିଜ ପରିବାରର କିଛି ସଦସ୍ୟଙ୍କ ସହ ଗୁରୁବାର ମହାରାଷ୍ଟ୍ରରୁ ଏକ ଟ୍ରକରେ ଚଢ଼ିଥିଲେ । ୩ ଦିନ ଯାତ୍ରା ପରେ ସେମାନେ ରବିବାର ଭୋର ୩ଟାରେ ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଓହ୍ଲାଇଥିଲେ । ଏହା ପରେ ସେମାନେ ଚାଲି ଚାଲି ନିଜ ଜିଲ୍ଲା ହରଦୋଇ ଅଭିମୁଖେ ଯାଇଥିଲେ । କିନ୍ତୁ ଗୋଟିଏ କିଲୋମିଟର ଚାଲିଛନ୍ତି କି ନାହିଁ, ବିକ୍ରମ ରାସ୍ତାରେ ଟଳି ପଡ଼ିଥିଲେ । ଜଣେ ବରିଷ୍ଠ ଜିଲ୍ଲା ଅଧିକାରୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଖାଦ୍ୟ ନ ଖାଇବା କାରଣରୁ ବିକ୍ରମ ପ୍ରାଣ ହରାଇଥିବା ଜଣାପଡ଼ିଛି । ଗୁରୁବାର ସେମାନେ ଯାତ୍ରା ଆରମ୍ଭ କରିଥିଲେ । ଶୁକ୍ରବାର ବିକ୍ରମ ଭଲ କରି ଖାଇଥିଲେ । ଏହା ପରେ କେବଳ କିଛି ବିସ୍କୁଟ ଓ ପାଣି ପିଇଥିଲେ । ତାଙ୍କ ମୃତ୍ୟୁ ପଛରେ ଆଉ କି କାରଣ ରହିଛି, ଆମେ ତାହା ଜାଣିବାକୁ ଉଦ୍ୟମ କରୁଛୁ ।
