ନିର୍ବନ୍ଧ ଉତ୍ସବ ଆୟୋଜନ କରି ଗୋଟିଏ ପରିବାରର ୧୫ଜଣ କରୋନାରେ ଆକ୍ରାନ୍ତ |

ନିର୍ବନ୍ଧ ଉତ୍ସବ ଆୟୋଜନ କରି ଗୋଟିଏ ପରିବାରର ୧୫ଜଣ କରୋନାରେ ଆକ୍ରାନ୍ତ |

ରାଜ୍ୟ ଖବର

ଲକଡାଉନ ସମୟରେ ନିର୍ବନ୍ଧ ଉତ୍ସବ କରାଇଥିବା ହାଇଦ୍ରାବାଦର ଗୋଟିଏ ପରିବାରର ୧୫ ଜଣ ସଦସ୍ୟ ରବିବାର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଘଟଣାଟି ହାଇଦ୍ରାବାଦର ପୁରାନାପୁଲ ଅଞ୍ଚଳରେ ଘଟିଛି । ମେ ୧୧ ତାରିଖ ରେ ଏହି ପରିବାରର ଜଣେ ୫୮ ବର୍ଷୀୟ ସଦସ୍ୟଙ୍କ ପ୍ରାଣହାନୀ ହେବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ବ୍ୟକ୍ତି ଜଣଙ୍କର ପୂର୍ବରୁ ହୃଦରୋଗ ଥିଲା । ତେବେ ମୃତ୍ୟୁ ପରେ ତାଙ୍କର କରୋନା ପରୀକ୍ଷା କରାଯିବାରୁ ସେ ପଜିଟିଭ ଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ମୃତକଙ୍କୁ ମିଶାଇ ସେମାନଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ ଥିବା ପୁଲିସ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ମେ ୧୦ ତାରିଖ ଏହି ପରିବାରର ବାସଭବନରେ ଏକ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିଲା । କନ୍ୟା ଜଣକ ମୃତକଙ୍କର ନାତୁଣୀ ଥିଲେ । ପରିବାରର ଅତି କମରେ ୨୦ ଜଣ ସଦସ୍ୟ ସେହି ବିଲଡିଂରେ ରହୁଥିଲେ । ଏ ସମ୍ପର୍କରେ ମଙ୍ଗଳଘାଟ ପୁଲିସ ଷ୍ଟେସନର ଇନସ୍ପେକ୍ଟର ଜି ରଣବୀର ରେଡ୍ଡି କହିଛନ୍ତି ସେଠାରେ ଲକଡାଉନ ଉଲ୍ଲଂଘନ କରି ନିର୍ବନ୍ଧ ଉତ୍ସବ ହେଉଥିବା ଖବର ପାଇବା ପରେ ଆମେ କନଷ୍ଟେବଳଙ୍କୁ ପଠାଇଥିଲୁ । ମୋଟ ୪୦ ଜଣ ଅତିଥି ସେଠି ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେହି ବିଲ୍ଡିଂରେ ରହୁଥିଲେ । ପୁଲିସ ପକ୍ଷରୁ ଆଇପିସି ଧାରା ୧୮୮ ଅନୁସାରେ ସେହି ପରିବାରର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଚିକିତ୍ସା ପାଇଁ ପରିବାରର ସଂକ୍ରମିତ ସଦସ୍ୟଙ୍କୁ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।