ରାତି କର୍ଫ୍ୟୁକୁ ମମତାଙ୍କ ନା |

ରାତି କର୍ଫ୍ୟୁକୁ ମମତାଙ୍କ ନା |

ରାଜ୍ୟ ଖବର

ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ ଓ ପଞ୍ଜାବ ଭଳି ପଶ୍ଚିମବଙ୍ଗରେ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇଛନ୍ତି ମମତା ସରକାର । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେକିଛିଟା କୋହଳ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଜନବିରୋଧୀ ସର୍ତ୍ତକୁ ସେ ସ୍ୱୀକାର କରିବେ ନାହିଁ । ରାଜ୍ୟରେ କର୍ଫ୍ୟୁ ଘୋଷଣା କରାଯାଉ ନାହିଁ । କିନ୍ତୁ ୩୧ ତାରିଖ ଯାଏ ଲକଡାଉନ ବଳବତ୍ତର ରହିବ । କର୍ଫ୍ୟୁ ଶବ୍ଦଟା ହିଁ ତାଙ୍କର ପସନ୍ଦ ନୁହେଁ ବୋଲି ମମତା କହିଛନ୍ତି । ରାତି କର୍ଫ୍ୟୁ ପରିପ୍ରେକ୍ଷୀରେ ସନ୍ଧ୍ୟା ୭ ରୁ ସକାଳ ୭ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରକୁ ବାହାରିବେ ନାହିଁ । ତେଣୁ ଆମ ରାଜ୍ୟରେ ରାତି କର୍ଫ୍ୟୁ ଲାଗୁ ହେବ ନାହିଁ । ଏ ନେଇ ସୋମବାର ଏକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସପିଂ ମଲ ସହିତ ଘରୋଇ କାର୍ଯ୍ୟାଳୟଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କ ନେଇ ଦିନେ ଛାଡ଼ି ଦିନେ ଖୋଲାଯିବ । ରାଜ୍ୟରେ ଥିବା ସେଲୁନ ଗୁଡ଼ିକ ଖୋଲିବ । କିନ୍ତୁ ସେଲୁନରେ ଥିବା ଉପକରଣ ମାତ୍ର ୬ ଜଣଙ୍କ ପାଇଁ ବ୍ୟବହାର କରାଯିବ । ରାଜ୍ୟ ଭିତରେ ବସ ଚଳାଚଳ କରିବ । ରାଜ୍ୟରେ ବିଭିନ୍ନ ଖେଳ ଆୟୋଜିତ ହେବ । କିନ୍ତୁ ସେଠାକୁ ଦର୍ଶକ ଯିବେ ନାହିଁ । ହୋଟେଲ ଖୋଲିବ । ହେଲେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେବ । ଭିଡ଼ଠାରୁ ଦୂରେଇ ରହିବେ । ୨୧ ତାରିଖରୁ ସମସ୍ତ ବଡ଼ ଦୋକାନ ଖୋଲିବ । ୨୭ ତାରିଖରୁ ଛୋଟ ଛୋଟ ଦୋକାନକୁ ନେଇ ଗଢ଼ି ଉଠିଥିବା ବଜାର ଗୁଡ଼ିକ ଦିନେ ଛାଡ଼ି ଦିନେ ଖୋଲା ରହିବ । ଏହାଛଡ଼ା ପ୍ରବାସୀ ଶ୍ରମିକମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବାହାରେ ଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଛି । ଇତିମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ଆଣି ୧୫ଟି ରେଳଗାଡ଼ି ରାଜ୍ୟରେ ପହଞ୍ଚି ସାରିଛି । ଆହୁରି ୯୦ଟି ରେଳଗାଡ଼ି ବୁକିଂ କରାଯାଇଛି । ଖୁବଶୀଘ୍ର ଅଧିକ ୧୨୦ଟି ରେଳଗାଡ଼ି ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।