ପଶ୍ଚିମବଙ୍ଗକୁ ୧ ହଜାର କୋଟି ସହାୟତା ଘୋଷଣା କଲେ ମୋଦି |

ପଶ୍ଚିମବଙ୍ଗକୁ ୧ ହଜାର କୋଟି ସହାୟତା ଘୋଷଣା କଲେ ମୋଦି |

ରାଜ୍ୟ ଖବର

ବାତ୍ୟା ଅମ୍ପନ ପାଇଁ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ପଶ୍ଚିମବଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଥମିକ ପର୍ଯ୍ୟାୟରେ ଆଗୁଆ ୧ ହଜାର କୋଟି ସହାୟତା ଘୋଷଣା କରିଛନ୍ତି । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ମୋଦୀ ଏହି ସହାୟତା ଘୋଷଣା କରିଛନ୍ତି । ପରେ କ୍ଷୟକ୍ଷତି ଆକଳନ ପରେ ଆହୁରି ସହାୟତା ରାଶି ଘୋଷଣା କରାଯିବ ବୋଲି ମୋଦୀ କହିଛନ୍ତି । ବାତ୍ୟାରେ ୮୦ ଜଣଙ୍କ ମୃତୁ୍ୟ ଘଟିଥିବା ମୋଦୀ କହିବା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ମିଳିବ ବୋଲି କହିଛନ୍ତି । ଏହାଛଡ଼ା ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଲେଖାଏଁ ମିଳିବ । ତୁରନ୍ତ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ କେନ୍ଦ୍ରୀୟ ଟିମ ଆସିବ । କେନ୍ଦ୍ରୀୟ ଟିମ ଆସି ସମସ୍ତ କ୍ଷୟକ୍ଷତିର ଅନୁଧ୍ୟାନ କରିବ । କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି ମୋଦୀ କହିଛନ୍ତି । ଏହାଛଡ଼ା ଏହି ଦୁର୍ଦ୍ଧିନ ସମୟରେ ପଶ୍ଚିମବଙ୍ଗ ସହ ଆମେ ସମସ୍ତେ ଅଛୁ । ଭାରତ ସରକାର କାନ୍ଧରେ କାନ୍ଧ ମିଶାଇ କାମ କରିବ ବୋଲି ମୋଦି କହିଛନ୍ତି । ସେହିପରି ମୋଦୀ କହିଛନ୍ତି ଯେ, କରୋନା ସମୟରେ ବାତ୍ୟା ଆସିବା ଆମ ପାଇଁ ଏକ ଭିନ୍ନ ଚ୍ୟାଲେଞ୍ଜ । କରୋନା ଓ ବାତ୍ୟା ବିରୋଧରେ ଲଢେଇ ପରସ୍ପର ବିପରୀତ ଧର୍ମୀ । କରୋନାରେ ଘରେ ରୁହ ବୋଲି କୁହାଯାଉଥିଲା । ତେବେ ବାତ୍ୟା ପାଇଁ ଘରୁ ଆସ ବୋଲି କୁହାଗଲା । ଏହା ଆମ ପାଇଁ ଚ୍ୟାଲେଞ୍ଜ ଥିଲା । କାନ୍ଧରେ କାନ୍ଧ ମିଶାଇ ଏହାର ମୁକାବିଲା କରିବା ବୋଲି ମୋଦୀ କହିଛନ୍ତି । ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ‘ଅମ୍ପନ’ ପ୍ରଭାବ​‌ରେ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ଶୁକ୍ରବାର ଅନୁଧ୍ୟାନ କରିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନରେ କଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ କିଛି ସମୟ ମମତାଙ୍କ ସହ କଥା ହୋଇଥିଲେ। ଏହି ସମୟରେ ମମତା ‘ଅମ୍ପନ’କୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରାଯିବା ଉଚିତ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାବୁଲ ସୁପ୍ରିୟୋ, ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏବଂ ଦେବାଶ୍ରୀ ଚୌଧୁରୀ ଉପସ୍ଥିତ ଥିଲେ। ପରେ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଆକାଶମାର୍ଗରୁ ସେମାନେ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ସୂଚନାଯୋଗ୍ୟ, ବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ହୋଇଛି। ଏଠାରେ ପ୍ରାୟ ୮୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ସମ୍ପତ୍ତି ନଷ୍ଟ ହୋଇଛି।