କୋରାପୁଟ ଜୟପୁର ସହରରେ ଜଣେ କରୋନା ପଜିଟିଭ ଚିହ୍ନଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତିଙ୍କ ସାମ୍ପଲ ପଜିଟିଭ ବାହାରିଥିବା ସୂଚନା ମିଳିଛି । ସବୁଠୁ ବଡ଼ କଥା ହେଲା ଯେ, ସମ୍ପୃକ୍ତ ବ୍ୟକ୍ତି ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗି ପଳାଇଥିବା ଚର୍ଚ୍ଚା ହେଉଛି । କୌଣସି କାମରେ ସେ ପରିବାର ସହ ବିଶାଖାପାଟଣା ପଳାଇଥିବା ସୂଚନା ମିଳିଛି । କିଛି ନଜଣାଇ ସେ ବିଶାଖାପାଟଣା ପଳାଇଥିବାରୁ ପ୍ରଶାସନର ଅକଲ ଗୁଡ଼ୁମ ହୋଇଯାଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଧାୟକ ତାରା ବାହିନୀପତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଟୁଇଟ ଯୋଗେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେହି ବିଶାଖାପାଟଣାରେ ଚିକିତ୍ସା କରାଇବାକୁ ତାରା ବାହିନୀପତି କହିଛନ୍ତି । ସେଠାକାର ପ୍ରଶାସନ ସହ ଯୋଗାଯୋଗ କରି ସେଇଠି ହିଁ ତାଙ୍କର ଚିକିତ୍ସା କରିବା ପାଇଁ ତାରା ବାହିନୀପତି ଜିଲ୍ଲାପାଳଙ୍କୁ କହିଛନ୍ତି ।
