ଅଧିକ ନୋଟ୍‍ ଛପାଇବାକୁ ନେଇ ଦ୍ୱନ୍ଦ୍ୱ |

ଅଧିକ ନୋଟ୍‍ ଛପାଇବାକୁ ନେଇ ଦ୍ୱନ୍ଦ୍ୱ |

ଜାତୀୟ ଖବର

ନୂଆଦିଲ୍ଲୀ: କରୋନା ସଂକଟ ପ୍ରଭାବରେ ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିବା ବେଳେ ଗରିବ ଲୋକମାନେ ନାହିଁନଥିବା ଅସୁବିଧା ସାମ୍ନା କରୁଛନ୍ତି । ଏଭଳି ପରିସ୍ଥିତିରେ ସମ୍ବଳକୁ ନେଇ ଯେଉଁ ଅଭାବ ରହିଛି ତାହାକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକ ନୋଟ ଛପାଇବା ଦରକାର ବୋଲି କିଛି ଅର୍ଥନୀତିଜ୍ଞ ମତ ଦେଇଛନ୍ତି । ସେମାନେ ଯାତ୍ରା ପ୍ରସ୍ତାବ ଦେଇଛନ୍ତି ତାହା କାର୍ଯ୍ୟ କରିବା ଏତେ ସହଜ ନୁହେଁ ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସେସର ଅର୍ଥନୀତିଜ୍ଞ ଦୀପ୍ତି ମେରି ମାଥ୍ୟୁ କହିଛନ୍ତି । ସେ ଏକ ନିବନ୍ଧରେ ଲେଖିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ପାଇଁ ଅଧିକ ନୋଟ ଛପାଇବା ଏତେ ସହଜ କାର୍ଯ୍ୟ ନୁହେଁ । ସରକାରଙ୍କ ସମ୍ବଳ ଅଭାବକୁ ରିଜର୍ଭ ବ୍ୟାଙ୍କ ଜରିଆରେ ଦୂର କରିବା ପ୍ରଥା ୧୯୯୭ ପର୍ଯ୍ୟନ୍ତ ପ୍ରଚଳନରେ ଥିଲା । ରିଜର୍ଭ ବ୍ୟାଙ୍କ ପ୍ରାଥମିକ ବଜାରରୁ ସିଧାସଳଖ ସରକାରୀ ସିକ୍ୟୁରିଟି କିଣି ସରକାରଙ୍କ ଖର୍ଚ୍ଚ ବାହାର କରୁଥିଲା । ସେଥିପାଇଁ ଆଡ-ହକ ଟ୍ରେଜେରି ବିଲ୍‍ ଜାରି କରାଯାଉଥିଲା । ଏହି ବିଲ୍‍ ଜରିଆରେ ପାଣ୍ଠି ଯୋଗାଡ କରିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଲାଗି ୧୯୯୪ ଓ ୧୯୯୭ ରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା ଅଧିନିୟମ ୨୦୦୩ କାର୍ଯ୍ୟକାରୀ ହେବା ପରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ୨୦୦୬ ଏପ୍ରିଲ ୧ ପରଠାରୁ ପ୍ରାଥମିକ ବଜାରରୁ କୌଣସି ସରକାରୀ ସିକ୍ୟୁରିଟି ରିଜର୍ଭ ବ୍ୟାଙ୍କ ହାସଲ କରିନାହିଁ । ମାଥ୍ୟୁଙ୍କ ମତରେ ଅଧିକ ନୋଟ ଛପାଇବାର ଅନେକ ଖରାପ ଦିଗ ମଧ୍ୟ ରହିଛି । ଏହା ଦରଦାମ ବୃଦ୍ଧିର କାରଣ ହେବ । କରୋନା ସଂକଟ ପ୍ରଭାବରେ ଏବେ ସାମଗ୍ରୀ ଓ ସେବା ଗୁଡ଼ିକର ଚାହିଦା ନାହିଁ । କିନ୍ତୁ ଅର୍ଥନୀତିରେ ସୁଧାର ହେବା ପରେ ଯଦି ଲୋକମାନଙ୍କ ପାଖରେ ବିପୁଳ ଟଙ୍କା ରହିଥିବ ତେବେ ଦରଦାମ ବହୁତ ବଢ଼ିବ । ସେହି ସମୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମଧ୍ୟ ଦୁର୍ବଳ ହୋଇଯିବ । ଆମେରିକା ଯଦି ଅଧିକ ଡଲାର ଛପାଇବ ତେବେ ବିଶ୍ୱ ବଜାରରେ ଡଲାର ଦାମ ପ୍ରଭାବିତ ହେବ ନାହିଁ । କିନ୍ତୁ ଭାରତ ଭଳି ଦେଶ ଯଦି ଅଧିକ ଟଙ୍କା ଛପାଇବ ତେବେ ଆନ୍ତର୍ଜାତିକ ବଜାରରେ ଏହାର ମୁଦ୍ରା ଦାମ ବହୁତ କମିଯିବ । ସେଭଳି ହେଲେ କୌଣସି ନିବେଶକ ଭାରତରେ ପୁଞ୍ଜିନିବେଶ କରିବାକୁ ଚାହିଁବେ ନାହିଁ । କାରଣ ସେମାନେ ଆଶାନୁରୂପ ରିଟର୍ଣ୍ଣ ପାଇବାରୁ ବଞ୍ଚିତ ହେବେ । ଯେଉଁ ବିଦେଶ ନିବେଶକମାନେ ଭାରତରେ ପୁଞ୍ଜିନିବେଶ କରିଛନ୍ତି ସେମାନେ ନିବେଶ ବୁଡ଼ିଯିବା ଭୟରେ ଅନ୍ୟ ଦେଶକୁ ଚାଲିଯିବେ । ରପ୍ତାନୀକାରୀମାନେ ମଧ୍ୟ ଗୁରୁ୍‍ତର ଭାବେ ପ୍ରଭାବିତ ହେବେ ।