ନୂଆଦିଲ୍ଲୀ: ଆଉ ଅଳ୍ପ କେତୋଟି ଦିନ ପରେ ଭାରତର ସ୍ଥଳଭାଗ ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ପୂର୍ବାନୁମାନ କରାଯାଇଛି । ଜୁନ ୧ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କୁହାଯାଇଛି । ମହାବାତ୍ୟା ଅମ୍ଫାନ ଯୋଗୁଁ ମୌସୁମୀ ଭାରତୀୟ ମହାଦେଶ ଆଡ଼କୁ ଅଗ୍ରସର ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ପ୍ରତିବନ୍ଧକ ଏବେ ଦୂର ହୋଇଯାଇଛି । ବୁଧବାର ଠାରୁ ମୌସୁମୀ ଅଗ୍ରସର ହୋଇଛି । ବଙ୍ଗୋପସାଗରରେ ଏବେ ରହିଥିବା ଘୂର୍ଣ୍ଣିଝଡ଼ ବଳୟ ମୌସୁମୀକୁ ସ୍ଥଳଭାଗ ଆଡ଼କୁ ଟାଣିବାରେ ସହାୟକ ହେଉଛି । ଏଥିସହିତ ମେ ୩୧ ତାରିଖରୁ ଜୁନ ୪ ତାରିଖ ମଧ୍ୟରେ ଆରବ ସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ଫଳରେ ମୌସୁମୀ ପାଇଁ ଆହୁରି ଅନୁକୂଳ ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଆରବ ସାଗର ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଖୁବଶୀଘ୍ର ଏହା ଏକ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହି ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତା ୩ ଦିନ ମଧ୍ୟରେ ଦକ୍ଷିଣ ଓମାନ ଓ ପୂର୍ବ ୟେମେନ ଉପକୂଳକୁ ଛୁଇଁବ । ଏହା ବାତ୍ୟାର ରୂପ ନେଲେ ମଧ୍ୟ ଭାରତର ପଶ୍ଚିମ ଉପକୂଳକୁ ପ୍ରଭାବିତ କରିବ ନାହିଁ ବୋଲି ପାଣିପାଗ ବିଭାଗର ବୈଜ୍ଞାନିକମାନେ କହିଛନ୍ତି । ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦ୍ୱିତୀୟ ଲଘୁଚାପ ବଳୟ ଅଞ୍ଚଳ ବର୍ଷାକୁ ପଶ୍ଚିମ ଉପକୂଳରେ ପହଞ୍ଚାଇବ । ପୂର୍ବ ଆକଳନ ତୁଳନାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାକୁ ଆଗକୁ ପହଞ୍ଚାଇବାରେ ଏହା ଅନୁକୁଳ ପରିବେଶ ସୃଷ୍ଟି କରିବ । ଜୁନ ୧ କିମ୍ବା ୨ ତାରିଖରେ ମୌସୁମି ବର୍ଷା କେରଳ ଛୁଇଁବା ନେଇ ଆଶା କରାଯାଉଛି ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ଗତ ୧୫ ତାରିଖରେ ବିଭାଗ ପକ୍ଷରୁ ମୌସୁମୀ ଆଗମନ ନେଇ ପୂର୍ବାନୁମାନ କରାଯାଇଥିଲା । ଏଥିରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟଠାରୁ ୪ ଦିନ ବିଳମ୍ବରେ ଅର୍ଥାତ ଜୁନ ୫ ତାରିଖରେ କେରଳ ଛୁଇଁବ ବୋଲି କୁହାଯାଉଥିଲା ।
