କରାଚୀରେ ଥିବା ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ୪ ବନ୍ଧୁକଧାରୀ ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ କାର୍ୟ୍ୟାଳୟରେ ପଶି ଆଖିବୁଜା ଗୁଳିଚାଳନା କରିବାରୁ ୫ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପୁଲିସ ଗୁଳିରେ ୪ ଆତଙ୍କୀ ନହିତ ହୋଇଥିବା ଏଆରୱାଇ ନ୍ୟୁଜ ରିପୋର୍ଟରୁ ସୂଚନା ମିଳିଛି। କରାଚୀ ପୁଲିସ ଆଇଜିଙ୍କ ସୂଚନା ଅନୁସାରେ, ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସମସ୍ତ ଆତଙ୍କବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ଯବାନ ଏବଂ ପୁଲିସ କର୍ମଚାରୀମାନେ କାର୍ୟ୍ୟାଳୟରେ ପ୍ରବେଶ କରି ସର୍ଚ୍ଚ ଅପରେଶନ ଚଳାଇଛନ୍ତି। ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନରେ ଆତଙ୍କବାଦୀମାନେ ପ୍ରଥମେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ କୋଠାର ମୁଖ୍ୟ ଗେଟ୍ ନିକଟକୁ ଗ୍ରେନେଡ ମାଡ଼ କରିଥିଲେ। ଗ୍ରେନେଡ ବିସ୍ଫୋରଣ ହେବା ପରେ ସେମାନେ କୋଠା ଭିତରକୁ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ପୁଲିସ କର୍ମଚାରୀ ଏବଂ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ଜଣାପଡ଼ିଛି।
