ପୁଞ୍ଜିଲାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ।

ପୁଞ୍ଜିଲାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ।

ରାଜ୍ୟ

କଟକ: ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଅନ୍ତରୀଣ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ପୁଞ୍ଜିଲାଲ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଏହି ମାମଲାର ରାୟ ପ୍ରକାଶ କରି ପୁଞ୍ଜିଲାଲଙ୍କ ଆବେଦନକୁ ଖାରଜ କରିଛନ୍ତି । ୨୦୧୮ ଫେବୃୟାରୀ ୨୩ ତାରିଖରେ ନବ ବିବାହିତ ଦମ୍ପତି ସୌମ୍ୟଶେଖର ସାହୁ ଓ ପତ୍ନୀ ରିମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ସୌମ୍ୟଶେଖରଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ନବଦମ୍ପତିଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସୌମ୍ୟ ଶେଖର ଆଖି ବୁଜି ଦେଇଥିଲେ । ଏହି ଘଟଣାକୁ ନେଇ ପାଟଣାଗଡ଼ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ତଦନ୍ତଭାର କ୍ରାଇମବ୍ରାଞ୍ଚ ଏସଆଇଟି ନେଇଥିଲା । ୨୦୧୮ ଏପ୍ରିଲ ୨୫ରେ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । କିଛି ମାସ ତଳେ ପୁଞ୍ଜିଲାଲଙ୍କ ମା’ଙ୍କର ଦେହାନ୍ତ ହେବାରୁ ଅନ୍ତ୍ୟେଷ୍ଟିକ୍ରିୟା ଲାଗି ତାଙ୍କୁ ଦିନିକିଆ ଜାମିନ ମିଳିଥିଲା । ପରେ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେବା ଲାଗି ହାଇକୋର୍ଟ ତାଙ୍କ ଚାରିଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଏବେ ପୁଣି ପୁଞ୍ଜିଲାଲ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରିୟବ୍ରତ ତ୍ରିପାଠୀ ମାମଲାର ପରିଚାଳନା କରୁଥିଲେ ।