ମାଲିକାଣୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲା କୁକୁର

ମାଲିକାଣୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲା କୁକୁର

ରାଜ୍ୟ ଖବର

କାନପୁର: ୟୁପିର କାନପୁର ସହରରେ ଗୋଟିଏ କୁକୁର ନିଜ ମାଲିକାଣୀଙ୍କ ମୃତ୍ୟୁର ଦୁଃଖରେ ଭାଙ୍ଗି ପଡ଼ି ଆତ୍ମହତ୍ୟା କରିଛି । ମାଲିକାଣୀଙ୍କ ମୃତଦେହ ହସ୍ପିଟାଲରୁ ଅଣାଯିବା ପରେ କୁକୁରଟି ଚାରି ମହଲା କୋଠାରୁ ଉପରୁ ତଳକୁ ଡେଇଁ ପଡ଼ିଥିଲା । କାନପୁର ସହରର ବାରା-୨ ଅଞ୍ଚଳରେ ଏହି ଘଟଣା ଘଟିଛି । ଅନୀତା ରାଜ ସିଂ ନାମ୍ନୀ ଜଣେ ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଥିଲା । ସେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଯୁଗ୍ମ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ । ୧୨ ବର୍ଷ ତଳେ ସେ ଏକ ମାଈ କୁକୁରକୁ ଉଦ୍ଧାର କରିଥିଲେ । ଉକ୍ତ କୁକୁରଟି ସେତେବେଳେ ଅତି ଛୋଟ ଥିଲା ଏବଂ ତାର ମାଆ ତାକୁ ଭରସୁଲା ହର୍ସମ୍ୟାନ ହସ୍ପିଟାଲ ନିକଟରେ ଛାଡ଼ି ଦେଇଥିଲା । ସେତେବେଳେ ସେ ଅତି ରୁଗଣ ଅବସ୍ଥାରେ ଥିଲା । ଅନୀତା ତାକୁ ସେଠାରୁ ନିଜ ଘରକୁ ଆଣିଥିଲେ ଏବଂ ତାର ପାଳନ କରିଥିଲେ । ସେ ଏବଂ ତାଙ୍କ ପରିବାରର ଲୋକ ତାକୁ ଜୟା ବୋଲି ଡାକୁଥିଲେ । ଜୟା ବି ଅନୀତାଙ୍କୁ ଖୁବ୍ ଭଲ ପାଉଥିଲା । ଜୟା ଅନୀତାଙ୍କ ପରିବାରର ଏକ ସଦସ୍ୟ ପାଲଟି ଯାଇଥିଲା । କିଛି ଦିନ ତଳେ ଅନୀତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଏବଂ ହସ୍ପିଟାଲ ନିଆଯିବା ପର ଠାରୁ ଜୟା ଅବସାଦ ଗ୍ରସ୍ତ ହୋଇଥିଲା । ଅନୀତାଙ୍କ ମୃତ୍ୟୁ ହେବା ପରେ ଯେତେବେଳେ ତାଙ୍କ ମୃତ ଦେହ ହସ୍ପିଟାଲରୁ ଘରକୁ ଅଣାଯାଇଥିଲା, ସେତେବେଳେ ଜୟା ଜୋରରେ ଭୁକିବା ସହିତ କାନ୍ଦିବାକୁ ଆରମ୍ଭ କରିଥିଲା । ଏହାର କିଛି ସମୟ ପରେ ସେ ଚାରି ମହଲା କୋଠାକୁ ଯାଇ ତଳକୁ ଡେଇଁ ପଡ଼ିଥିଲା । ତା’କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତା’ର ମୃତ୍ୟୁ ହୋଇଥିଲା । ଅନୀତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର କରିବା ପରେ ଘର ନିକଟରେ ଜୟାକୁ ସମାଧି ଦେଇଥିଲେ ।