ବଳାତ୍କାରୀଠାରୁ ୨୦ ଲକ୍ଷ ଲାଞ୍ଚ ନେଇ ମହିଳା ପୁଲିସ ଗିରଫ |

ବଳାତ୍କାରୀଠାରୁ ୨୦ ଲକ୍ଷ ଲାଞ୍ଚ ନେଇ ମହିଳା ପୁଲିସ ଗିରଫ |

ରାଜ୍ୟ ଖବର

ଅହମ୍ମଦାବାଦ: ଜଣେ ବଳାତ୍କାରୀ ବିରୋରେ ଅସାମାଜିକ କାର୍ଯ୍ୟକଳାପ ନିବାରଣ ଆଇନ (ପିଏଏସଏ) ରେ ମାମଲା ରୁଜୁ ନ କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁଜରାଟର ଜଣେ ମହିଳା ପୁଲିସ ଏସଆଇ ଶ୍ୱେତା ଜାଡେଜାଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି । ଶ୍ୱେତା ଅହମ୍ମଦାବାଦ-ପଶ୍ଚିମ ମହିଳା ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଦୁର୍ନୀତି ନିବାରଣ ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ଅହମ୍ମଦାବାଦର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଦୁଇ ଜଣ ମହିଳା ସେହି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ କେନାଲ ଶାହଙ୍କ ବିରୋଧରେ ୨୦୧୯ ରେ ବଳାତ୍କାର ଅଭିଯୋଗ ଆଣିଥିଲେ । ମହିଳା ଥାନା ପକ୍ଷରୁ କେନାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଶ୍ୱେତା ଏହାର ତଦନ୍ତ କରୁଥିଲେ । ତେବେ ସେ କେନାଲଙ୍କ ବିରୋଧରେ ପିଏଏସଏରେ ମାମଲା ରୁଜୁ ନ କରିବା ଲାଗି ୩୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏହି ଆଇନରେ ମାମଲା ରୁଜୁ ହେଲେ ଅଭିଯୁକ୍ତକୁ ନିଜ ଜିଲ୍ଲା ବାହାରେ ଥିବା ଯେକୌଣସି ଜେଲକୁ ପଠାଯାଇପାରିବ । ଏଥିପାଇଁ ଶ୍ୱେତା ଅଭିଯୁକ୍ତ କେନାଲର ଭାଇ ଭବେଶଙ୍କୁ ଫୋନ କରି ଡକାଇଥିଲେ । ତାଙ୍କ ସହିତ ଟଙ୍କା ଡିଲ ପକ୍କା କରିଥିଲେ । ଭବେଶ ୨୦ ଲକ୍ଷ ଟଙ୍କା ଦେବେ ବୋଲି କଥା ଫାଇନାଲ ହୋଇଥିଲା । ସେହି ଅନୁସାରେ ଭବେଶ ଗତ ଫେବ୍ରୁଆରୀରେ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଶ୍ୱେତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିôଲେ । ହେଲେ ପରେ ଶ୍ୱେତା ଆହୁରି ୧୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏପରିକି ଟଙ୍କା ଦେବାକୁ ଭବେଶଙ୍କ ଉପରେ ଚାପ ପକାଯାଇଥିଲା । ଭବେଶ ଘଟଣା ସମ୍ପର୍କରେ ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ । ତଦନ୍ତ ପରେ ଶ୍ୱେତାଙ୍କୁ ଗିରଫ କରାଯାଇଛି । ଶ୍ୱେତାଙ୍କୁ ଅଧିକ ପଚରାଉଚରା କରିବା ଲାଗି କୋର୍ଟ ୩ ଦିନିଆ ପୁଲିସ ରିମାଣ୍ଡରେ ପଠାଇଥିବା ଜଣାପଡ଼ିଛି ।