ବରିଷ୍ଠ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ।

ବରିଷ୍ଠ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ।

ରାଜ୍ୟ

ତିର୍ତ୍ତୋଲ ବିଧାନସଭାରୁ ପ୍ରତିନିଧିତ୍ଵ କରୁଥିବା ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପରଲୋକ। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଗତ କିଛି ଦିନ ଧରି ସେ ଚିକିତ୍ସାଧୀନ ଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ସେ କୋମାରେ ଥିଲେ। ଆଜି ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ବିଷ୍ଣୁ ଦାସ ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ସଂରକ୍ଷିତ ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ୨୦୧୪ରେ ପରାଜିତ ହୋଇଥିବା ବିଷ୍ଣୁ ଦାସ ତା ପୂର୍ବରୁ ଲଗାତାର ପାଞ୍ଚ ଥର ଜଗତିସିଂହପୁର ବିଧାନସଭା ଆସନରୁ ଜିତିଥିଲେ। ସେ ମଧ୍ୟ କିଛି ଦିନ ରାଜ୍ୟସଭା ସଦସ୍ୟ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ରହିଥିଲେ। ଅନୁସୂଚିତ ବର୍ଗର ହୋଇଥିଲେ ମଧ୍ୟ ସେ ଜଗତସିଂହପୁର ଜିଲ୍ଲାରେ ଜଣେ ପ୍ରଭାବଶାଳୀ ବିଜେଡି ନେତା ଭାବେ ପରିଚିତ। ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଥିବା ବିଷ୍ଣୁ ଦାସ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ତେବେ ୨୦୧୭ରେ ରାଜ୍ୟସଭାରୁ ଇସ୍ତଫା ଦେଇ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ତାଙ୍କ ବିୟୋଗରେ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଶୋକ ବ୍ୟକ୍ତ କରିଛନ୍ତି।