ଭୁବନେଶ୍ୱର: ଗତ ଜୁନ ୮ ତାରିଖଠାରୁ ରାଜ୍ୟ ଭିତରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା । ଯାତ୍ରୀଙ୍କ ସୁବିଧା ଲାଗି ବିଭିନ୍ନ ରୁଟରେ ୫ଟି ଟ୍ରେନ ଚଳାଚଳ କରୁଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ତେବେ ଯାତ୍ରୀ ହେଉ ନ ଥିବାରୁ ସେଥିମଧ୍ୟରୁ ୩ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଲା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ, ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ । ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସପ୍ତାହକୁ ତିନି ଥର ଚଳାଚଳ କରୁଥିବା ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ (୦୮୩୦୩/୦୮୩୦୪) ଜୁଲାଇ ୧୦ ରୁ ଉଭୟ ପାଶ୍ୱର୍ରେ ବାତିଲ ରହିବ । ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୨/୦୮୪୯୧) ଭୁବନେଶ୍ୱରରୁ ଜୁଲାଇ ୧୩ ରୁ ଓ ଭଦ୍ରକରୁ ଜୁଲାଇ ୧୪ ରୁ ବାତିଲ ହେବ । ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୩୭/୦୮୪୩୮) ଜୁଲାଇ ୧୩ ରୁ ଭୁବନେଶ୍ୱରରୁ ଏବଂ ଜୁଲାଇ ୧୪ ରୁ ବ୍ରହ୍ମପୁରରୁ ବାତିଲ ହେବ ।
