ସିପ୍ଲା ଛାଡ଼ିଲା ସବୁଠୁ ଶସ୍ତା ରେମଡେସିଭିର ଇଞ୍ଜେକସନ |

ସିପ୍ଲା ଛାଡ଼ିଲା ସବୁଠୁ ଶସ୍ତା ରେମଡେସିଭିର ଇଞ୍ଜେକସନ |

ବିଶେଷ ଖବର

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଔଷଧ କମ୍ପାନୀ ସିପ୍ଲା ପକ୍ଷରୁ କରୋନା ଭୂତାଣୁ ପାଇଁ ଉଦ୍ଦିଷ୍ଟ ରେମଡେସିଭିର ଇଞ୍ଜେକସନର ବଜାର ପ୍ରବେଶ କରାଯାଇଛି । ମହାମାରୀ କୋଭିଡ-୧୯ ରେ ପୀଡ଼ିତ ଗୁରୁତର ରୋଗୀଙ୍କ ଠାରେ ଅନୁକୂଳ ଫଳାଫଳ ଦେଉଥିବା ଏହି ଭୂତାଣୁ ପ୍ରତିରୋଧ ଔଷଧର ସ୍ୱତ୍ୱ ହାସଲ କରିଥିବା ଆମେରିକୀୟ କମ୍ପାନୀ ଜିଲିଆତ ସାଇନ୍ସେସ ଠାରୁ ଆବଶ୍ୟକ ଅନୁମତି ପାଇ ସିପ୍ଲା ନିଜର ଏହି ଜେନେରିକ ଇଞ୍ଜେକସନକୁ ଛାଡ଼ିଛି । ବଜାରରେ ସିପ୍ରେମୀ ନାମରେ ଉପଲବ୍ଧ ଏହି ଇଞ୍ଜେକସନ ଅନ୍ୟାନ ଛାପର ରେମଡେସିଭିର ଇଞ୍ଜେକସନ ଅପେକ୍ଷା ସବୁଠୁ ଶସ୍ତା ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ମାତ୍ର ୪ ହଜାର ଟଙ୍କାରେ ସିପ୍ରେମି ମିଳୁଥିବା ବେଳେ ହେଟେରୋ କମ୍ପାନୀ ଛାଡ଼ିଥିବା କୋଭିଫର ନାମକ ରେମଡେସିଭିର ଇଞ୍ଜେକସନର ମୂଲ୍ୟ ୫,୪୦୦ ଟଙ୍କା ରହିଛି । ସେହିପରି ମାଇଲାନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ୧୦୦ ମି.ଗ୍ରା ବିଶିଷ୍ଟ ଡେସରେମ ଛାପର ରେମଡେସିଭିର ଦର ୪,୮୦୦ ଟଙ୍କା ରହିଛି । ସୁତରାଂ ବିଶ୍ୱରେ ସବୁଠୁ କମ୍ ମୂଲ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଇଞ୍ଜେକସନର ବଜାର ପ୍ରବେଶ କରାଇ ବେଶ୍ ଗର୍ବିତ ବୋଲି ସିପ୍ଲାର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ନିଖିଲ ଚୋପ୍ରା କହିଛନ୍ତି । କମ୍ପାନୀ ପ୍ରଥମ ମାସରେ ୮୦ ହଜାର ଇଞ୍ଜେକସନ ଛାଡ଼ିବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ଚୋପ୍ରା ସୂଚନା ଦେଇଛନ୍ତି ।