ମହାନଦୀ ଜଳ ବିବାଦ: ଓଡ଼ିଶା ଓ ଛତିଶଗଡ଼ ମିଳିତ ସମାଧାନରେ ବିଫଳ |

ମହାନଦୀ ଜଳ ବିବାଦ: ଓଡ଼ିଶା ଓ ଛତିଶଗଡ଼ ମିଳିତ ସମାଧାନରେ ବିଫଳ |

ରାଜ୍ୟ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମିଳିତ ଭାବେ ସମାଧାନ କରିବାରେ ବିଫଳ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏ ନେଇ ଉଭୟ ରାଜ୍ୟମାନଙ୍କ ବୈଠକ ହୋଇଥିଲେ ମଧ୍ୟ କୌଣସି ପ୍ରକାର ସହମତି ହୋଇପାରିନାହିଁ । ଗତ ଜାନୁଆରିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ୱାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା । ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନ ବାଟ ବାହାର କରିବା ଲାଗି ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡ଼ିଲେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇପାରିବେ ବୋଲି ଟ୍ରିବ୍ୟୁନାଲ ମତ ଦେଇଥିଲେ । ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଦୁଇ ରାଜ୍ୟ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରିନଥିଲା । ବୈଠକର ଫଳାଫଳ ସମ୍ପର୍କରେ ଦୁଇ ରାଜ୍ୟ ଇ-ମେଲ ଯୋଗେ ଟ୍ରିବ୍ୟୁନାଲକୁ ସୂଚାଇଛନ୍ତି । ଆଜି ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଶୁଣାଣିରେ ଦୁଇ ରାଜ୍ୟମାନଙ୍କର ଦ୍ୱାରା ମୌଖିକ ଭାବେ ଟ୍ରିବ୍ୟୁନାଲକୁ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ଜଣାପଡ଼ିଛି ।