ଭୁବନେଶ୍ୱର: ୫ ବର୍ଷ ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇନଥିଲା । କେବଳ ୨୦୧୫ ଓ ୨୦୧୬ ଦୁଇ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ମନୋନୀତ ସାରସ୍ୱତ ସ୍ରଷ୍ଟାଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ସାହିତ୍ୟର ୯ଟି ବିଭାଗରେ ୨ ବର୍ଷ ପାଇଁ ମୋଟ ୨୦ ଜଣ ଏହି ପୁରସ୍କାର ଲାଭ କରିବେ । ପ୍ରତ୍ୟେକ ଲେଖକଙ୍କୁ ୩୦ ହଜାର ଟଙ୍କାର ଅର୍ଥ ରାଶି ସହ ତାମ୍ରଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ କରୋନା ମହାମାରୀ ଯୋଗୁଁ କେବେ ଏହି ପୁରସ୍କାର ପ୍ରଦାନ କରାଯିବ, ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ପରବର୍ତ୍ତୀ ସମୟରେ ପୁରସ୍କାର ପ୍ରଦାନ ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ମନ୍ତ୍ରୀ କହିଛନ୍ତି । ଉପସଭାପତି ପଦରେ କେହି ନଥିବାରୁ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ୮ ଜଣ ଉପସ୍ଥିତ ଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ବିଜୟାନନ୍ଦ ସିଂହ, ଭାଗିରଥୀ ମହାସୁଆର, ସୁଶାନ୍ତ ନାୟକ, ଚନ୍ଦ୍ରଶେଖର ହୋତା ଓ ସାହିତ୍ୟ ଏକାଡେମୀ ଅର୍ଥ ପରାମର୍ଶ ଦାତା ବସନ୍ତ କୁମାର ଜେନାଙ୍କ ଉପସ୍ଥିତିରେ ସାହିତ୍ୟ ଏକାଡେମୀ ପୁରସ୍କାର ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୧୭ ଓ ୨୦୧୮ ବର୍ଷ ପାଇଁ କରୋନା ପୂର୍ବକ ପୁସ୍ତକ ଆହ୍ୱାନ କରାଯାଇଥିବା ବେଳେ ଲେଖକମାନେ ବହି ପଠାଇ ସାରିଛନ୍ତି । ତେଣୁ ଆଉ ୨ ବର୍ଷ ନିମନ୍ତେ ମଧ୍ୟ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ଚାଲୁ ରହିଥିବା ସୂଚନା ମିଳିଛି ।
