ଭୁବନେଶ୍ୱର :ବିଜେପିରେ ମିଶିଥିବା ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ବୈଜୟନ୍ତଙ୍କୁ ବିଜେପିର ମୁଖପାତ୍ର ମଧ୍ୟ କରାଯାଇଛି । ବିଜେପି ସଭାପତି ଅମିତ ଶାହା ଏହି ଦାୟିତ୍ୱ ଦେଇଛନ୍ତି । ମହାଶିବରାତ୍ରୀ ଦିନ ବିଧିବଦ୍ଧ ଭାବେ ବୈଜୟନ୍ତ ବିଜେପିରେ ସାମିଲ ହୋଇଥିଲେ । ତେବେ ଯୋଗଦେବା ପରଠାରୁ ତାଙ୍କୁ ବିଜେପି କେଉଁ ଦାୟିତ୍ୱ ଦେବ ସେନେଇ ବେଶ ଚର୍ଚ୍ଚା ଆଲୋଚନା ହେଉଥିଲା । ଏବେ ତାଙ୍କୁ ଜାତୀୟସ୍ତରର ବଡ଼ ଦାୟିତ୍ୱ ଦିଆଯାଇଛି । ଫଳରେ ବୈଜୟନ୍ତଙ୍କ ଦବଦବା ବିଜେପିରେ ରହିଛି ବୋଲି ସ୍ପଷ୍ଟ ହୋଇଯାଇଛି । ଏସବୁ ଭିତରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ଦିଗ ପ୍ରତି ଆଲୋଚନା କରାଯାଇପାରେ । ଗୋଟିଏ ପଟେ ବୈଜୟନ୍ତ ରାଜ୍ୟ ରାଜନୀତିରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏମିତିକି ସେ ହିଁ ରାଜ୍ୟ ବିଜେପିର ‘ଫେସ୍’ ବୋଲି ମଧ୍ୟ କେତେକ ଗଣମାଧ୍ୟମରେ ପ୍ରଚାର ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ତାଙ୍କୁ ଜାତୀୟସ୍ତରର ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସମୟରେ ଘନଘନ ରାଜନୀତିକ ବିତର୍କମାନ କରାଯିବ । ଟିଭିରେ ଘଂଟା ଘଂଟା ବିତର୍କ ହେବ । ଏହି ପରିପ୍ରେକ୍ଷୀରେ ଜାତୀୟ ମୁଖପାତ୍ର ଭାବେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଏଥିପାଇଁ ତଥ୍ୟ ସମ୍ବଳିତ ପ୍ରସ୍ତୁତିର ମଧ୍ୟ ଆବଶ୍ୟକତା ରହିଛି । ଫଳରେ ବୈଜୟନ୍ତ ଓଡ଼ିଶା ରାଜନୀତିରେ କେତେଦୂର ଧ୍ୟାନ ଦେଇପାରିବେ ସେନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ତାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ଦାୟିତ୍ୱ ମିଳିଛି । ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ମିଳିଥିବାରୁ ପରବର୍ତୀ ସମୟରେ ତାଙ୍କୁ କେତେକ ରାଜ୍ୟର ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଗାଏମୋଟ ଦେଖିଲେ ବୈଜୟନ୍ତଙ୍କ ନିଯୁକ୍ତି ପଛରେ ଦୁଇଟି ରାଜନୀତିକ ଦିଗ ରହିଥାଇପାରେ ବୋଲି କୁହାଯାଇପାରିବ । ପ୍ରଥମଟି ହେଉଛି, ଜାତୀୟ ରାଜନୀତିରେ ବୈଜୟନ୍ତଙ୍କୁ ଦାୟିତ୍ୱ ଦେଇ ରାଜ୍ୟ ବିଜେପି ରାଜନୀତିରୁ ଦୂରେଇ ରଖିବା ପାଇଁ ଏହା ଏକ ସୁଚନ୍ତିତ ଯୋଜନା କିମ୍ବା ଦ୍ୱିତୀୟଟି ହେଉଛି ରାଜ୍ୟ ବିଜେପିର ତାଙ୍କର ଦବଦବା ବୃଦ୍ଧି ସହ ଆଗାମୀ ଦିନରେ ପୋଷ୍ଟର ବୟ ହେବାର ସମ୍ଭାବନା ।
