ନୂଆଦିଲ୍ଲୀ : ଆଉ ୪୭ ଚାଇନା ଆପ ଉପରେ ପ୍ରତିବନ୍ଧକ ଲାଗିଛି । ନିକଟରେ ଭାରତ ସରକାର ୫୯ ଚାଇନା ଆପସ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ପ୍ରତିବନ୍ଧକ ଲଗାଯାଇଥିବା କେତେକ ଆପସର କ୍ଲୋନ ଜରିଆରେ ବି ଏହା ଚାଲୁ ରହିଥିଲା । ଟିକଟକ ଲାଇଟ, ହେଲୋ ଲାଇଟ, ସେୟାର ଇଟ ଲାଇଟ, ବିଗୋ ଲାଇଟ ଓ ଭିଏଫୱାଇ ଲାଇଟ ନାଁରେ ଆପସଗୁଡ଼ିକ ଚାଲୁଥିଲା । ଏସମ୍ପର୍କରେ କେନ୍ଦ୍ର ସରକାର ଜାଣିବା ପରେ ସେହିସବୁ ଆପସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଗତମାସରେ ଭାରତ ସରକାର ୫୯ ଚାଇନା ଆପସ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ବିଶେଷକରି ଟିକଟକ, ସେଆର ଇଟ ଓ ୟୂସି ବ୍ରାଉଜର ଭଳି ଲୋକପ୍ରିୟ ଆପସକୁ ବ୍ୟାନ କରାଯାଇଥିଲା । ଭାରତରେ ଚାଇନା କମ୍ପାନୀର ୩୦ କୋଟି ୟୂଜର ଅଛନ୍ତି । ଅର୍ଥାତ୍ ଦେଶର ଦୁଇ ତୃତୀୟାଂଶ ସ୍ମାର୍ଟ ଫୋନରେ ଚାଇନିଜ ଆପସ ରହିଛି । ତେବେ ଭାରତ ସରକାର ବ୍ୟାନ କରିବା ପରେ ଚାଇନା କମ୍ପାନୀଗୁଡ଼ିକର ବ୍ୟବସାୟ କମିଯାଇଛି । ଇତିମଧ୍ୟରେ ଭାରତରେ ସେଂଟର ଖୋଲିବାକୁ ଟିକଟକ ସରକାରଙ୍କୁ ପ୍ରସ୍ତାବ ଦେଇଛି ।
