ହରିୟାଣାର ଗୁରୁଗ୍ରାମ ସ୍ଥିତ ଭାରତୀୟ ହୋମ୍ ସଲ୍ୟୁସନ ବ୍ରାଣ୍ଡ Ottomate ତରଫରୁ ଚଳିତ ସପ୍ତାହରେ ଏକ ସ୍ମାର୍ଟଫ୍ୟାନ ଲଞ୍ଚ କରାଯାଇଛି। ଏହାକୁ ଲଗାଇବା ପରେ ଆପଣଙ୍କୁ ଫ୍ୟାନର ସ୍ପିଡ କମାଇବା ଓ ବଢାଇବା ପାଇଁ ବାରମ୍ବାର ଉଠିକରି ସ୍ଵିଚ ବୋର୍ଡ ପାଖକୁ ଯିବାକୁ ପଡିବ ନାହିଁ। ଆପଣ ନିଜର ସ୍ମାର୍ଟଫୋନ ମାଧ୍ୟମରେ ଖଟ ଉପରେ ବସି ବା ଶୋଇ ମୋବାଇଲ ଆପ୍ ମାଧ୍ୟମରେ ନିୟନ୍ତ୍ରଣ କରିପାରିବେ।ଏହି ଫ୍ୟାନରେ ବ୍ଲୁ-ଟୁଥ ସପୋର୍ଟ ରହିଛି। ଏହି ଫ୍ୟାନରେ ସ୍ମାର୍ଟ ଫୋନରେ ବ୍ୟବହାର କରାଯାଉଥିବା କ୍ଵାଲକମ ଚିପସେଟ୍ ବ୍ୟବହାର କରାଯାଇଛି। ଏହି ମୋବାଇଲ ଆପରେ ଟର୍ବୋ ମୋଡ୍ ମଧ୍ୟ ରହିଛି, ଯାହା ସାହାଯ୍ୟରେ ଫ୍ୟାନର ସ୍ପିଡକୁ ଦଶଗୁଣ ଅଧିକ କରାଯାଇ ପାରିବ। ଏହାବ୍ୟତୀତ ଏଥିରେ ମାନୁଆଲ ମୋଡ ମଧ୍ୟ ରହିଛି। ମାନୁଆଲ ମୋଡରେ ଆପଣ ନିଜର ଆବଶ୍ୟକ ଅନୁଯାୟୀ ସ୍ପିଡ ସେଟ୍ କରିପାରିବେ। ଏଥିରେ OTTO ମୋଡ୍ ମଧ୍ୟ ରହିଛି। Ottomate କମ୍ପାନୀର ଏହି ସ୍ମାର୍ଟଫ୍ୟାନର ମୂଲ୍ୟ ରହିଛି ଟ.3,999। ଏହା ସହିତ କମ୍ପାନୀ ତରଫରୁ ସ୍ମାର୍ଟ ରେଡି ଫ୍ୟାନ ମଧ୍ୟ ଲଞ୍ଚ କରାଯାଇଛି। ଏହାର ମୂଲ୍ୟ ଟ.2,999 ରହିଛି। ମାତ୍ର ଟ.1,000 ଅଧିକ ଦେଇ 30ମିନିଟ ମଧ୍ୟରେ ଏହି ସ୍ମାର୍ଟରେଡି ଫ୍ୟାନକୁ ସ୍ମାର୍ଟଫ୍ୟାନରେ ପରିବର୍ତ୍ତନ କରାଯାଇପାରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏହି ସ୍ମାର୍ଟଫ୍ୟାନ ମାର୍ଚ୍ଚ 20ରୁ କମ୍ପାନୀର ଅଫିସିଆଲ ୱେବସାଇଟରେ ବିକ୍ରି କରାଯିବ। ଏପ୍ରିଲ 2ରୁ ଇ-କମର୍ସ ୱେବସାଇଟ ମାନଙ୍କରେ ଏହା ଉପଲବ୍ଧ ହେବ। ଏହାବ୍ୟତୀତ ଅଫଲାଇନରେ ଦୋକାନରେ ମଧ୍ୟ ଏହା ଉପଲବ୍ଧ ହେବ।
