କିଏ ଅର୍ଦ୍ଧେନ୍ଦୁ ଦାସ? କାହିଁକି ଆସିବ 'ବଡ଼ ଖବର'?

କିଏ ଅର୍ଦ୍ଧେନ୍ଦୁ ଦାସ? କାହିଁକି ଆସିବ 'ବଡ଼ ଖବର'?

ରାଜ୍ୟ ଖବର

ଭୁବନେଶ୍ୱର: ଗଲା କିଛି ଦିନ ଧରି ସାରା ରାଜ୍ୟରେ ଏକ ନୂଆ ନ୍ୟୁଜ୍ ଚ୍ୟାନେଲକୁ ନେଇ ଚର୍ଚ୍ଚା । ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଉଦ୍ୟମରେ ଆରମ୍ଭ ହେଉଛି ନୂଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ 'ବଡ଼ ଖବର' । ଯାହାର ଟ୍ୟାଗ୍ ଲାଇନ୍ ରହିଛି 'ଲୋକ'ଙ୍କ ଚ୍ୟାନେଲ୍ । କୌଣସି ପୁଞ୍ଜପତିଙ୍କ ମାଲିକାନା ନୁହେଁ, ବରଂ କିଛି ସାମ୍ବାଦିକଙ୍କ ସହଯୋଗରେ ଏହି ଟିଭି ଚ୍ୟାନେଲ ହେବ । ଯାହା ନିରପେକ୍ଷ ଭାବେ ଲୋକଙ୍କ ସହ ରହିବ ବୋଲି ଅର୍ଦ୍ଧେନ୍ଦୁ ଦାବି କରିଛନ୍ତି । ଏଭଳି ଦାବି ରାଜ୍ୟବାସୀଙ୍କୁ ଉତ୍ସାହିତ କରିଛି । ତେବେ ଏହି ଚ୍ୟାନେଲ ସଂପର୍କରେ ଅଧିକ ଜାଣିବା ପୂର୍ବରୁ ପ୍ରଥମେ ଜାଣି ନିଅନ୍ତୁ କିଏ ଏହି ଅର୍ଦ୍ଧେନ୍ଦୁ ଦାସ । ଆପଣମାନଙ୍କ ମଧ୍ୟରୁ ଅନେକ ଅର୍ଦ୍ଧେନ୍ଦୁଙ୍କ ବିଷୟରେ ଅଳ୍ପ ବହୁତ ନିଶ୍ଚୟ ଜାଣିଥିବେ । ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ, ବିଶେଷକରି ଟିଭି ଜର୍ଣ୍ଣାଲିଜିମରେ ବଡ଼ ନାଁ ଅର୍ଦ୍ଧେନ୍ଦୁ । ୨୫ ବର୍ଷ ତଳେ ସାମ୍ବାଦିକତାରେ କ୍ୟାରିୟର ଆରମ୍ଭ କରିଥିଲେ । ସମ୍ବାଦ, ଅନୁପମ ଭାରତ, ଆରମ୍ଭ ଭଳି ଖବର କାଗଜରେ ବିଭିନ୍ନ ଜିଲ୍ଲାରେ ସାମ୍ବାଦିକତା ସହ ଭୁବନେଶ୍ୱରରେ ବିଭିନ୍ନ ପଦପଦବୀରେ କାମ କରିଛନ୍ତି ଜ୍ଝ ଟିଭିରେ 'ଇଟିଭି'ରୁ ସେ କାମ ଆରମ୍ଭ କରିଥିଲେ । ଏହା ପରେ ସେ 'ଓଟିଭି'କୁ ଆସିଥିଲେ । ସେତେବେଳେ ଓଟିଭି ଏତେଟା ଲୋକପ୍ରିୟ ନ ଥିଲା । ହେଲେ ଅର୍ଦ୍ଧେନ୍ଦୁଙ୍କ 'ନ୍ୟୁଜଫ୍ୟୁଜ' କନସେପ୍ଟ ଚ୍ୟାନେଲକୁ ଘରେ ଘରେ ପହଞ୍ଚାଇଥିଲା । ପରେ କାମୟାବରେ ମାତ୍ର କିଛି ମାସ କାର୍ୟ୍ୟ କରି ଚ୍ୟାନେଲକୁ ଆଗକୁ ନେଇ ପାରିଥିଲେ । ଏହା ପରେ ୨୦୧୦ରେ ସେ ନ୍ୟୁଜ୭ ଚ୍ୟାନେଲରେ ପ୍ରତିଷ୍ଠାତା ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ । ଚ୍ୟାନେଲ ଆରମ୍ଭ ହେଉ ହେଉ ଭଣ୍ଡ ସାରଥୀର ପର୍ଦ୍ଦାଫାଶ କରି ସେ ରାତାରାତି ନ୍ୟୁଜ୭କୁ ସଫଳତା ଦେଇଥିଲେ । ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୁଲାସା ହୋଇଥିଲା । ମଦ ବିରୋଧରେ ଅଭିଯାନ ହୋଇଥିଲା । ହେଲେ ଗତ ମାର୍ଚ୍ଚରେ ତାଙ୍କୁ ନ୍ୟୁଜ୭ ଛାଡ଼ିବାକୁ ହୋଇଥିଲା । ଏହା ପରେ ସେ ନିଜେ ଏକ ଟିଭି ଚ୍ୟାନେଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ତାଙ୍କ ପାଖରେ ଅର୍ଥବଳ ନାହିଁ । ଓଡ଼ିଶାବାସୀଙ୍କ ସହଯୋଗରେ ସେ ଚ୍ୟାନେଲ ଚାଲିବ ବୋଲି ଘୋଷଣା କରିଛନ୍ତି । ତାଙ୍କ ଚ୍ୟାନେଲ କୌଣସି ଖବରରେ ସାଲିସ କରିବ ନାହିଁ । ଓଡ଼ିଶାବାସୀଙ୍କ ସ୍ୱର ହେବ ବୋଲି ସେ ଦୃଢୋକ୍ତି ରଖିଛନ୍ତି । ଏହି ଚ୍ୟାନେଲ ନାଁ 'ବଡ଼ ଖବର' ରଖାଯାଇଛି । ଏହାର ଲୋଗୋ ଉନ୍ମୋଚନ ଅବସରରେ ସେ କହିଥିଲେ, 'ବଡ଼ ଖବର' ପାଇଁ ସାଧାରଣ ଲୋକଙ୍କ ଖବର ହିଁ ବଡ଼ ହେବ । ଏହି ଚ୍ୟାନେଲ ଲୋକଙ୍କ ସହ ରହିବ, ଲୋକଙ୍କ ସମସ୍ୟା ବୁଝିବ, ଲୋକଙ୍କ କଥା କହିବ । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ଲୋକଙ୍କ ପ୍ରଶ୍ନ ପଚାରିବ । ମହାମାରୀର ଏହି ଘଡ଼ିସନ୍ଧି ମୁହୁର୍ତ୍ତରୁ ହିଁ ଲୋକଙ୍କ ସମସ୍ୟା ସାମ୍ନାକୁ ଆଣିବାର କାମ ଆରମ୍ଭ ହେବ । ପୂର୍ବରୁ ନ୍ୟୁଜ୭ରେ ଥିବା ବେଳେ ତାଙ୍କ ଏଡିଟୋରିଆଲ ସୋ' ବଡ଼ ଖବର ସାଧାରଣରେ ବେଶ୍ ଗ୍ରହଣୀୟ ହୋଇଥିବାରୁ ସେହି ଆଧାରରେ ନୂଆ ଟିଭି ଚ୍ୟାନେଲର ନାଁ 'ବଡ଼ ଖବର' ରଖାଯାଇଥିବା ଚର୍ଚ୍ଚା ହେଉଛି । ଖୁବ୍ ଶୀଘ୍ର ଏହାର ପ୍ରସାରଣ ତାରିଖ ଘୋଷଣା ହେବ ।