ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଛି । ଗତକାଲି ମାମଲାର ସିବିଆଇ ତଦନ୍ତ ପାଇଁ ସର୍ବୋଚ୍ଚ କୋର୍ଟ ନିଦେ୍ର୍ଧଶ ଦେଇଥିବା ବେଳେ ଆଜି ସିବିଆଇ ପକ୍ଷରୁ ଚାରି ଜଣିଆ ଟିମ୍ ଘୋଷଣା କରାଯାଇଛି । ସିବିଆଇର ସଞ୍ଜୁକ୍ତ ନିଦେ୍ର୍ଧଶକ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏହି ଚାରି ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ସିବିଆଇ ଡିଆଇଜି ଗଙ୍ଗାଦୀପ ଗମ୍ଭୀର, ସିବିଆଇ ସହକାରୀ ଏସପି ଅନୀଲ ଯାଦବ ଏବଂ ନୂପୁର ପ୍ରସାଦ ରହିଛନ୍ତି । ମନୋଜ ଶଶୀଧର ହେଉଛନ୍ତି ୧୯୯୪ ବ୍ୟାଚର ଗୁଜରାଟ କ୍ୟାଡରର ଜଣେ ଆଇପିଏସ୍ ଅଫିସର । ପୂର୍ବରୁ ଗୁଜୁରାଟ ପୋଲିସର କମିଶନର ଏବଂ କ୍ରାଇମବ୍ରାଞ୍ଚର ଜଏଣ୍ଟ କମିଶନର ରହିଥିବା ଶଶୀଧରନ ଗତ ଫେବୃୟାରୀ ମାସରେ ଡେପୁଟେସନରେ ସିବିଆଇରେ ଯୋଗ ଦେଇଥିଲେ । ସିବିଆଇରେ ଶଶୀଧରନ ଖଣି ଦୁର୍ନୀତି, ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଏବଂ ବିଜୟ ମାଲ୍ୟା ମାମଲାର ତଦନ୍ତ କରୁଛନ୍ତି । ଅନ୍ୟତମ ସଦସ୍ୟ ଗଙ୍ଗାଦୀପ ଗମ୍ଭୀର ୨୦୦୪ ବ୍ୟାଚର ଗୁଜରାଟ କ୍ୟାଡର ଆଇପିଏସ ଅଫିସର ଏବଂ ୨୦୧୬ରେ ଡେପୁଟେସନରେ ସିବିଆଇରେ ଯୋଗ ଦେଇଥିଲେ । ମାମଲାର ଅନ୍ୟତମ ଅଫିସର ହେଉଛନ୍ତି ସହକାରୀ ଏସପି ଅନୀଲ ଯାଦବ । ସେ ପୂର୍ବରୁ ବ୍ୟାପମ ସ୍କାମ ଏବଂ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାର ତଦନ୍ତ କରିଛନ୍ତି । ତଦନ୍ତ ଟିମର ଶେଷ ଅଫିସର ହେଉଛନ୍ତି ୨୦୦୭ ବ୍ୟାଚର ଆଇପିଏସ ଅଫିସର ନୂପୁର ପ୍ରସାଦ । ପୂର୍ବରୁ ଦିଲ୍ଲୀର ଶାହଦରାରେ ଡିସିପି ରହିଥିବା ନୂପୁର ବିହାରର ବାସିନ୍ଦା ଅଟନ୍ତି ।
