ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ୱାର୍କିଂ କମିଟି ବୈଠକରେ ସୋନିଆ ଗାନ୍ଧୀ ପଦ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଭୁର୍ଚୁଆଲ ବୈଠକରେ ଉପସ୍ଥିତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପଦ ଛାଡ଼ିବା ସମ୍ପର୍କିତ ନିଜ ଇଚ୍ଛା ସମ୍ପର୍କରେ ସିଡବୁ୍ୟସି ସଦସ୍ୟଙ୍କୁ ଜଣାଇଥିବା ଜଣାଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଳ କଂଗ୍ରେସ କାର୍ୟ୍ୟକାରୀ କମିଟି ବୈଠକରେ ଇସ୍ତଫା ଦେଇଥିଲେ। ଯଦିଓ ତାଙ୍କୁ ୨୦୨୨ ପର୍ୟ୍ୟନ୍ତ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା; ତଥାପି ରାହୁଳ ନିଜ ପଦ ଛାଡ଼ିଥିଲେ। ଏହାକୁ ନେଇ ଦଳର କାର୍ୟ୍ୟକର୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ସେ ପୁଣି ଦଳର ସଭାପତି ହୁଅନ୍ତୁ ବୋଲି କିଛି ନେତା ଏଆଇସିସି କାର୍ୟ୍ୟାଳୟରେ ଧାରଣା ଦେଇଥିଲେ। ମାତ୍ର ରାହୁଳ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଓ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଗତ ବର୍ଷାଧିକ କାଳ ଧରି ଦଳର ଯୁବନେତା ମାନେ ରାହୁଳଙ୍କୁ ପୁଣି ଦଳର ସଭାପତି କରିବା ନେଇ ଦାବି କରି ଆସୁଛନ୍ତି। ସୂଚନା ଅନୁସାରେ, ଦଳର କିଛି ବରିଷ୍ଠ ନେତାଙ୍କ ସହ ପୂର୍ବତନ ମନ୍ତ୍ରୀମାନେ ସୋନିଆଙ୍କୁ ଚିଠି ଲେଖି ଅନ୍ତରୀଣ ଅଧ୍ୟକ୍ଷ ପଦ ବ୍ୟବସ୍ଥାକୁ ଶେଷ କରି ପୂର୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ଦେବା ନିମନ୍ତେ ଅନୁରୋଧ କରିଛନ୍ତି।
