୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର

୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର

୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । କେବେ ରତ୍ନଭଣ୍ଡାରକୁ ନେଇ ରାଜନୀତି ଜୋର ଧରିଛି ତ ଆଉ କେବେ ରତ୍ନଭଣ୍ଡାରରୁ ଚୋରି ନେଇ ଅପବାଦ ବି ବୁଲିଛି  । ଅନେକ ରହସ୍ୟ ଘେରରେ ଥିବା ସେହି ରତ୍ନଭଣ୍ଡାର ସମ୍ପର୍କରେ ଆସନ୍ତୁ ଜାଣିବା ?

କେଉଁଠି ଅଛି ରତ୍ନଭଣ୍ଡାର ?

ଶ୍ରୀମନ୍ଦିର ଭିତର କାଠର ଡାହାଣ ପାଶ୍ୱର୍ରେ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର  । ଏହା ତିନି ଭାଗରେ ବିଭକ୍ତ  । ପ୍ରଥମଟି ଚଳନ୍ତି ଭଣ୍ଡାର, ଦ୍ୱିତୀୟଟି ବାହାର ଭଣ୍ଡାର ଓ ତୃତୀୟଟି ହେଉଛି ଭିତର ଭଣ୍ଡାର  । ଚଳନ୍ତି ଭଣ୍ଡାରରେ ନିତିଦିନିଆ ରୀତିନୀତି, ବାହାର ଭଣ୍ଡାରରେ ରଥଯାତ୍ରା ଓ ଯାନିଯାତ୍ରା ସମୟରେ ବ୍ୟବହୃତ ହେଉଥିବା ରତ୍ନ ଓ ତୃତୀୟଟିରେ ରାଜ ମହାରାଜାମାନେ ଦାନରେ ଦେଇଥିବା ରତ୍ନ ରହିଛି  ।

୧୯୭୮ ଗଣତିରେ କ’ଣ ମିଳିଥିଲା ?

ବାହାର ରତ୍ନଭଣ୍ଡାର : ଶ୍ରୀଜୀଉଙ୍କ ମସ୍ତକରେ ଲାଗିବା ପାଇଁ ୧୦ ପ୍ରକାରର ୨ ହଜାର ୨୦୩ ଭରି, କାନ ପାଇଁ ୫ ପ୍ରକାରର ୧ ହଜାର ୩୦୯ ଭରି, ନାକ ପାଇଁ ୩ ପ୍ରକାରର ୧୪ ଅଣା, ବେକ ପାଇଁ ୩୪ ପ୍ରକାରର ୧ ହଜାର ୮୬୧ ଭରି, ଭୁଜ ନିମନ୍ତେ ୩ ପ୍ରକାରର ୧ ହଜାର ୧୦୧ ଭରି, ମଣିବନ୍ଧ ପାଇଁ ୧ ପ୍ରକାରର ୧୦ ଅଣା, କମର ପାଇଁ ୮ ପ୍ରକାରର ୩୯୨ ଭରି, ଗୋଡ଼ ପାଇଁ ୨ ପ୍ରକାରର ୭୫୫ ଭରି ସ୍ୱର୍ଣ୍ଣ ଅଳଙ୍କାର ରହିଥିଲା  । ଅନ୍ୟାନ୍ୟ ୧୩ ପ୍ରକାରର ୫୫୦ ଭରି ସୁନା ଅଳଙ୍କାର, ୧୫ ପ୍ରକାରର ୨ ହଜାର ୩୩୩ ଭରି ରୂପା ପୂଜା ସାମଗ୍ରୀ, ୧୭ ପ୍ରକାରର ୨ ହଜାର ୮୭ ଭରି ରୁପା ବାସନକାସନ ଓ ୭ ପ୍ରକାରର ୨୪୯ ଭରି ଅନ୍ୟାନ୍ୟ ରୁପା ସାମଗ୍ରୀ ରହିଥିଲା  ।

ଭିତର ରତ୍ନଭଣ୍ଡାର : ସୁନା ଅଳଙ୍କାରରେ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି ପାଇଁ ୯୭ ପ୍ରକାରର ୮୦୨ ଭରି, କାନ ପାଇଁ ୧୨ ପ୍ରକାରର ୩୯୮ ଭରି, ନାକ ପାଇଁ ୨୦ ପ୍ରକାରର ୨୦୯ ଭରି, ବେକ ପାଇଁ ୧୬୦ ପ୍ରକାରର ୧ ହଜାର ୪୫୦ ଭରି, ଭୁଜ ପାଇଁ ୧୮ ପ୍ରକାରର ୮୮ ଭରି, ମଣିବନ୍ଧ ପାଇଁ ୧୫ ପ୍ରକାରର ୧୩୪ ଭରି, ଆଙ୍ଗୁଠି ସକାଶେ ୨ ପ୍ରକାରର ୪ ଭରି, ଅଣ୍ଟା ବା କମର ପାଇଁ ୫ ପ୍ରକାରର ୨୧ ଭରି ସୁନା ରହିଥିଲା  । ଅପରପକ୍ଷରେ ପୂଜା ପାଇଁ ୯୩ ପ୍ରକାରର ୨ ହଜାର ୯୯୮ ଭରି ରୂପା ସାମଗ୍ରୀ, ୭୪ ପ୍ରକାରର ୮ ହଜାର ୮୨୦ ଭରି ରୁପାର ବାସନକୁସନ ଓ ଅନ୍ୟାନ୍ୟ ୬୪ ପ୍ରକାରର ୩ ହଜାର ୬୦ ଭରି ରୁପା ସାମଗ୍ରୀ ରହିଥିଲା  ।

 ଚଳନ୍ତି ଭଣ୍ଡାର : ଚଳନ୍ତି ଭଣ୍ଡାରରେ ମସ୍ତକରେ ଲାଗି ହେଉଥିବା ୨ ପ୍ରକାରର ୨୩୩ ଭରି ସୁନା ଅଳଙ୍କାର ରହିଛି  । ସେହିପରି ଅଙ୍ଗୁଳିରେ ପିନ୍ଧିବା ପାଇଁ ୧୮ ଭରି ୮ ଅଣା ଏବଂ ଅନ୍ୟାନ୍ୟ ୪ ପ୍ରକାରର ୪୭ ଭରି ୧ ଅଣା ସୁନା ରହିଛି  ।