ଆଧାର ବନ୍ଧା ରଖିଲେ ଋଣରେ ମିଳୁଛି ପିଆଜ

ଆଧାର ବନ୍ଧା ରଖିଲେ ଋଣରେ ମିଳୁଛି ପିଆଜ

ଆଧାର ବନ୍ଧା ରଖିଲେ ଋଣରେ ମିଳୁଛି ପିଆଜ
ବାରାଣସୀ : ମହଙ୍ଗା ପିଆଜ ଏବେ ଦେଶବାସୀଙ୍କୁ କନ୍ଦାଉଛି । ଅଧିକାଂଶ ରାଜ୍ୟରେ ପିଆଜ ଦର କିଲୋ ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଏହାକୁ ନେଇ ଖାଉଟି ହନ୍ତସନ୍ତ ହେଉଛନ୍ତି । ଖାଉଟିଙ୍କ ଏଭଳି ଦୁଃଖକୁ ଲାଘବ କରିବା ପାଇଁ ୟୁପିର ବାରାଣସୀରେ ପିଆଜ ଏବେ ଋଣ ଆକାରରେ ଦିଆଯାଉଛି । ଖାଉଟି ନିଜ ଆଧାର କାର୍ଡ ବନ୍ଧା ରଖି ପିଆଜ ନେଉଥିବା ଜଣାପଡ଼ିଛି । ମିଳିଥିବା ଖବରରୁ ଜଣାପଡ଼ିଛି ଯେ ସମାଜବାଦୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ଋଣରେ ପିଆଜ ଯୋଗାଉଛନ୍ତି । ଏହି କର୍ମୀ ପେସାରେ ଜଣେ ବେପାରୀ ହୋଇଥିବାରୁ ନିଜ ଦୋକାନ ଜରିଆରେ ସେ ଋଣରେ ପିଆଜ ଦେଉଛନ୍ତି । ଦରବୃଦ୍ଧିରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ଏଭଳି ପଦକ୍ଷେପ ନେଉଥିବା କହିଛନ୍ତି । ଏ ବାବଦରେ ସେ କହିଛନ୍ତି ପିଆଜ ଦରବୃଦ୍ଧିକୁ ବିରୋଧ କରି ଆମେ ଏଭଳି ପଦକ୍ଷେପ ନେଇଛୁ । ଆମେ ଆଧାର ଓ ରୂପା ଅଳଙ୍କାର ବନ୍ଧକ ରଖି ଖାଉଟିକୁ ପିଆଜ ଋଣ ଆକାରରେ ଦେଉଛୁ । ଏହା ଦ୍ୱାରା ସେମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ଦରବୃଦ୍ଧିରୁ ସେମାନଙ୍କୁ ନିସ୍ତାର ମିଳୁଛି । ଆଉ କେତେକ ଦୋକାନରେ ପିଆଜକୁ ଲକରରେ ରଖାଯାଉଥିବା ଦେଖିବାକୁ ମିଳିଛି । ଉଲ୍ଲେଖ ଯୋଗ୍ୟ, ପିଆଜ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନଅଞ୍ଚଳରେ ଏହା କିଲୋ ପିଛା ୮୦ ରୁ ୧୨୦ ଟଙ୍କା ମଧ୍ୟରେ ରହିଛି । ସରକାରୀ ପ୍ରତିଷ୍ଠାନ ଗୁଡ଼ିକରେ ଏ ପର୍ଯ୍ୟନ୍ତ ରିହାତି ଦରରେ ପିଆଜ ବିକି୍ର କରାଯାଇ ନାହିଁ । ଚଳିତ ବର୍ଷ ଖରିଫ ଋତୁରେ ଚାଷ ପ୍ରଭାବିତ ହୋଇଥିବାରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଛି । ଚଳିତ ବର୍ଷ ସେପ୍ଟେମ୍ବରରେ ପିଆଜର ଖୁଚୁରା ଦର କିଲୋ ପିଛା ୫୦ ରୁ ୬୦ ଟଙ୍କା ମଧ୍ୟରେ ଥିଲା ।