ଓଡିଆ ଭାଷାକୁ ସରକାରଙ୍କୁ ତାତ୍ସଲ୍ୟ କଲେ ଅନିଲ ବିଶ୍ୱାଳ
ଭୁବନେଶ୍ୱର: ୨୦୧୮ମସିହାରେ “ଓଡିଶା ସରକାରୀ ଭାଷା ଆଇନ” କ୍ୟାବିନେଟ ଓ ବିଧାନସଭାରେ ପାସ୍ ହୋଇଥିଲା । କିନ୍ତୁ ଏଯାଏଁ କୁଆଡେ ଗଲା ସେହି ଆଇନ । ଆଜିବି ବ୍ଲକ ଓ ସଚିବାଳୟ ସବୁଠି ଇଂରାଜୀ ଭାଷାରେ ସରକାରୀ କାମ ହେଉଛି । ଅକ୍ଟୋବର ୯, ୨୦୧୮ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ଓଡିଆ ବିଶ୍ୱବିଦ୍ୟାଳୟ” ପାଇଁ ଶୁଭ ପ୍ରତିଷ୍ଠା ଦେଇଥିଲେ । ଏହି ପ୍ରତିଷ୍ଠାକୁ ୫ବର୍ଷ ବିତିବାକୁ ବସିଲାଣି । ଏହି ବିଶ୍ୱବିଦ୍ୟାଳୟ ସ୍ଥାପନାର କାମ କେତେ ବାଟ ଗଲାଣି? ଓଡିଆ ଭାଷା ପ୍ରତି ବିଜୁ ଜନତା ଦଳ ସରକାରର ମମତା ଅଛି ତ? ଏହାର ଉତର ରାଜ୍ୟ ସରକାର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ଦାବି କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କାରଣରୁ ପ୍ରଥମ ଥର ପାଇଁ ଏଆଇସିଟିଇ ଓଡିଆ ଭାଷାରେ ଯାନ୍ତ୍ରିକ ପାଠ୍ୟକ୍ରମରେ ପ୍ରକାଶନ କରିଥିଲା । କେନ୍ଦ୍ର ସରକାର ଓଡିଆ ଭାଷା ପାଇଁ ୨କୋଟି ୪୩ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ସେହିପରି ଭୁବନେଶ୍ୱରରେ ପୂର୍ବ-ଭାରତୀୟ ଭାଷା କେନ୍ଦ୍ର ନିର୍ମାଣ ପାଇଁ ୨୯କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କୁ ମିଳିଛି । ବିଜୁ ଜନତା ଦଳ ସରକାର ଓଡିଆ ଭାଷା ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ତାହାକୁ ସ୍ପଷ୍ଟ କରନ୍ତୁ । ପଡୋଶୀ ରାଜ୍ୟରେ ଓଡିଆ ଭାଷା ପଢ଼ାଉଥିବା ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଉତ୍କଳ ସମ୍ମିଳନୀ ଅନୁଷ୍ଠାନ ମାଧ୍ୟମରେ ମାସକୁ ୩ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ତାହା ଏଯାଏଁ ପୂରା କରିନାହାନ୍ତି । ଆଜି ପଡୋଶୀ ରାଜ୍ୟ ଓ ସୀମାବର୍ତ୍ତୀ ଅଂଚଳରେ ଓଡିଆ ଭାଷା ବିପନ୍ନ ସ୍ଥିତିରେ ଅଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତିି । ବର୍ତମାନ ଓଡିଆ ଭାଷା ଉନ୍ନତି ପାଇଁ ପଦ୍ମ ପୁରଷ୍କାର ଦିଆଯାଉଛି । ସେହିପରି କେନ୍ଦ୍ର ସରକାର ପ୍ରତିବର୍ଷ ଓଡିଆ ଭାଷା ଉନ୍ନତି ଓ ଅଗ୍ରଗତି ପାଇଁ “କେନ୍ଦ୍ର ସାହିତ୍ୟ ଏକାଡେମୀ” ପୁରସ୍କାର ଦେଇ ଆସୁଛନ୍ତି । କିନ୍ତୁ କାହିଁକି ୨୦୧୬ମସିହାରୁ ରାଜ୍ୟ ସରକାର “ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର” ବନ୍ଦ କରିଛନ୍ତି ତାହାର ଉତ୍ତର ରଖନ୍ତୁ । ଓଡିଆ ଭାଷାକୁ ଲୋକଆଦୃତ କରିବା ପାଇଁ ସମ୍ମାନୀତ କରାଯାଉଥିଲା । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଧର୍ମପତ୍ନୀଙ୍କୁ ପୁରସ୍କାର ଦିଆଯିବାକୁ ନେଇ ୨୦୧୭ରେ ବିବାଦ ହେଲା ଓ ସେବେଠାରୁ ଆଉ କାହାକୁ ପୁରସ୍କାର ଦିଆଗଲା ନାହିଁ କାହିଁକି ତାର ଉତ୍ତର ରାଜ୍ୟ ସରକାର ଯଥାଶୀଘ୍ର ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।